୭ବର୍ଷରେ ବନ୍ଦ ହୋଇ ସାରିଲାଣି ଏହି ୫ଟି ଏୟାରଲାଇନ୍….
ମୁମ୍ବାଇ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରେଓ୍ଵଜ୍ର ସବୁ ବିମାନ ଚଳାଚଳ ଏବେ ବନ୍ଦ ହୋଇ ସାରିଛି । ଋଣ ଭାରରେ ବୁଡ଼ି ରହିବା ପରେ ଏବେ ଜେଟ୍ ଏୟାରେଓ୍ଵଜ୍ ନିଜର ସବୁ ବିମାନକୁ ବନ୍ଦ କରିଥିବା ବେଳେ ବୁଧବାର ଏହାର ଶେଷ ବିମାନ ଅମୃତସର-ଦିଲ୍ଲୀ ଅଭିମୂଖେ ଯାତ୍ରା କରିଥିଲା । ତେବେ ଜେଟ୍ର ଏଭଳି ଦେବାଳିଆ ଅବସ୍ଥା ଦେଖିବା ପରେ ସମସ୍ତେ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ କଥା ମନେ ପକାଉଛନ୍ତି । କିଙ୍ଗଫିସର ଏୟାରଲାଇନ୍ ମଧ୍ୟ ଋଣ ଭାରରେ ବୁଡ଼ି ରହି ଶେଷରେ ବନ୍ଦ ହୋଇ ଯାଇଥିଲା । ବିଗତ ଅତୀତକୁ ନଜର ପକାଇଲେ ୭ବର୍ଷ ମଧ୍ୟରେ ପ୍ରାୟ ୫ଟି ବଡ଼ ବଡ଼ ଏୟାରଲାଇନ୍ ବନ୍ଦ ହୋଇ ସାରିଲାଣି ।
Sambad is now on WhatsApp
Join and get latest news updates delivered to you via WhatsApp
୧. ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ ୨୦୧୨ରେ ନିଜ ବିମାନର ସମସ୍ତ ଉଡ଼ାଣ ବନ୍ଦ କରି ଦେଇଥିଲା । ବନ୍ଦ ହେବାର ୧୦ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କିଙ୍ଗଫିସର ଏୟାରଲାଇନ୍ ଲଗାତାର ଋଣରେ ବୁଡ଼ି ରହିଥିଲା । ଉଡ଼ାଣ ବନ୍ଦ ହେବା ପରେ ମଧ୍ୟ ମାଲିକ ବିଜୟ ମାଲ୍ୟା ବ୍ୟାଙ୍କର ୯ହଜାର କୋଟି ଟଙ୍କା ସୁଝିବାରେ ଅସମର୍ଥ ହୋଇଛନ୍ତି ।
୨. ଘରୋଇ ଏୟାରଲାଇନ୍ ଜୁମ୍ ଏୟାର ନିଜର ଅସ୍ତିତ୍ୱ ୨୦୧୩ରେ ସାବ୍ୟସ୍ତ ହୋଇଥିବା ବେଳେ ୨୦୧୭ରେ କମ୍ପାନିର ପ୍ରଥମ ବିମାନ ଉଡ଼ାଣ ଭରିଥିଲା । ଆରମ୍ଭରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ହାଇଦ୍ରାବାଦ୍ ଭଳି ରାଜଧାନୀରେ ଜୁମ୍ ଏୟାର ନିଜର ଉଡ଼ାଣ ସେବା ଯୋଗାଇ ଦେବ ବୋଲି କହିଥିଲା । କିନ୍ତୁ କିଛି ଦିନ ପରେ ଡିଜିସିଏ ତରଫରୁ ଜୁମ୍ ଏୟାରଲାଇନ୍ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଏହାର ଉଡ଼ାଣ ସେବା ବନ୍ଦ କରି ଦିଆଯାଇଥିଲା ।
୩. ସିଏମ୍ସି ଗ୍ରୁପ୍ର ଏୟାର କାର୍ଣ୍ଣିଭାଲ ୨୦୧୬ରେ ନିଜର ପ୍ରଥମ ଉଡ଼ାଣ ଭରିଥିଲା । ଆରମ୍ଭରୁ ଏହି ଏୟାରଲାଇନ୍ ନିଜର ସେବା ଦକ୍ଷିଣ ଭାରତରେ ଦେଉଥିବା ବେଳେ ଗୋଟେ ବର୍ଷ ମଧ୍ୟରେ ଏହି ଏୟାରଲାଇନ୍ ଋଣ ଭାରରେ ବୁଡ଼ିଗଲା । ଯାହା ପାଇଁ ୨୦୧୭ରେ ହିଁ ଏୟାରଲାଇନ୍ଟି ବନ୍ଦ ହୋଇ ଯାଇଥିଲା ।
୪. ଆଞ୍ଚଳିକ ଏୟାରଲାଇନ୍ କମ୍ପାନି ଏୟାର କୋଷ୍ଟାର ବିସ୍ତାର ଦକ୍ଷିଣ ଭାରତରେ ହୋଇଥିଲା । ୨୦୧୩ରେ ଆରମ୍ଭ ହୋଇଥିବା ଏହି ଏୟାରଲାଇନ୍ ଏଲ୍ଇପିଏଲ୍ କମ୍ପାନିର ନିୟନ୍ତ୍ରଣରେ ରହିଥିଲା । କିନ୍ତୁ ଫେବୃଆରୀ ୨୮,୨୦୧୭ରେ ବିତ୍ତିୟ ସଙ୍କଟକୁ ଆଖି ଆଗରେ ରଖି କମ୍ପାନିକୁ ବିମାନର ଉଡ଼ାଣ ବନ୍ଦ କରିବାକୁ ପଡ଼ିଥିଲା ।
୫. ବେଙ୍ଗାଲୁରୁ ଏୟାରଲାଇନ୍ ଏୟାର ପେଗସାସ୍ ୨୦୧୫ରେ ନିଜର ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ଗୋଟେ ବର୍ଷ ମଧ୍ୟରେ ଏୟାର ପେଗସାସ୍ର ଉଡ଼ାଣ ବନ୍ଦ ହୋଇ ଯାଇଥିଲା । ବିତ୍ତିୟ ସଙ୍କଟ ଦେଖାଯିବାରୁ କମ୍ପାନିଟି ବନ୍ଦ ହୋଇ ଯାଇଥିଲା ।