ମାଡ଼ି ଆସୁଛି ମାନ୍ଦାବସ୍ଥା: ୧୬୪ ଲକ୍ଷ କୋଟି ଡଲାର ଋଣରେ ଉବୁଟୁବୁ ବିଶ୍ୱ

ବିଶ୍ୱ ଜିଡିପିର ୨୨୫%ରେ ପହଞ୍ଚିଲାଣି, ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ୧୦ ବର୍ଷର ବ୍ୟବଧାନ ପରେ ବିଶ୍ୱକୁ ପୁଣି ଘାରିଲାଣି ମାନ୍ଦାବସ୍ଥା ଆଶଙ୍କା। ଆମେରିକାର ସବ୍‌ ପ୍ରାଇମ୍‌ ଋଣ ସଙ୍କଟରୁ ଗତ ଦଶନ୍ଧିରେ ଆରମ୍ଭ ହୋଇଥିବା ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ନଥିବାବେଳେ ଆଉ ଏକ ମାନ୍ଦାବସ୍ଥାର କଳାବାଦଲ ବିଶ୍ୱ ଆକାଶରେ ଘୂରି ବୁଲିଲାଣି। ଖୋଦ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏହି ଆଶଙ୍କା ବ୍ୟକ୍ତ କରିଛି। ବିଶ୍ୱରେ ବୃଦ୍ଧି ପାଉଥିବା ଋଣ ଏହି ମାନ୍ଦାବସ୍ଥାର କାରଣ ହୋଇପାରେ ବୋଲି ଆଇଏମ୍‌ଏଫ୍‌ର ଆଶଙ୍କା ରହିଛି। ବିଶ୍ୱର ମୋଟ ଋଣ ପରିମାଣ ଏବେ ୧୬୪ ଲକ୍ଷ କୋଟି ଡଲାରରେ ପହଞ୍ଚିଲାଣି। ଭାରତୀୟ ମୁଦ୍ରାରେ ଏହି ଋଣ ପରିମାଣ ପ୍ରାୟ ୧୦, ୬୬, ୦୦୦,୦୦୦ କୋଟି ଟଙ୍କା ବା ୧୦,୬୬୦ ଲକ୍ଷ କୋଟି ଟଙ୍କା ହେବ। ବିଭିନ୍ନ ଦେଶର ସରକାର ଓ ଘରୋଇ ସଂସ୍ଥା ଉପରେ ଏହି ପରିମାଣର ଋଣ ବୋଝ ରହିଛି। ଏହା ପୂର୍ବରୁ ୨୦୦୯ରେ ବିଶ୍ୱର ବିଭିନ୍ନ ସରକାର ଏବଂ ଘରୋଇ କ୍ଷେତ୍ର ଉପରେ ସର୍ବାଧିକ ଋଣ ବୋଝ ରହିଥିଲା। ୨୦୦୯ ପରେ ଋଣ ବୋଝ ହ୍ରାସ ପାଇଥିଲେ ମଧ୍ୟ ଏବେ ପୁଣି ରେକର୍ଡ ସ୍ତରରେ ପହଞ୍ଚିଯାଇଛି। ୨୦୧୬ ମସିହାରେ ବିଶ୍ୱରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଯାହା ଥିଲା ଋଣ ପରିମାଣ ତାହାର ୨୨୫%କୁ ବୃଦ୍ଧି ପାଇଛି। ଋଣ ପରିମାଣ ଯେଉଁ ସ୍ତରରେ ପହଞ୍ଚିଛି ଯଦି ମାନ୍ଦାବସ୍ଥା ମାଡ଼ିବସେ ତାହେଲେ ଦେଶ ଗୁଡ଼ିକ ପାଇଁ ଏହାର ମୁକାବିଲା କରିବା କଷ୍ଟକର ହୋଇପଡ଼ିବ। ଏତଦ୍‌ବ୍ୟତୀତ ଯଦି ଆର୍ଥିକ ନୀତି କଠୋର ହୋଇଯାଏ ତାହେଲେ ଋଣ ପରିଶୋଧ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଯିବ ବୋଲି ଆଇଏମ୍‌ଏଫ୍‌ କହିଛି। ଗତ ବୁଧବାର ଆଇଏମ୍‌ଏଫ୍‌ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରିଛି। ଆଇଏମ୍‌ଏଫ୍‌ର ବିତ୍ତୀୟ ବ୍ୟାପାର ବିଭାଗ ମୁଖ୍ୟ ଭିଟୋର ଗେସ୍‌ପର୍‌ କହିଛନ୍ତି ଯେ, ୧୬୪ ଲକ୍ଷ କୋଟି ଡଲାରର ଋଣ ନିଶ୍ଚିତଭାବେ ଏକ ବିଶାଳ ସଂଖ୍ୟା। ଆମ ପାଇଁ ଦିଗ୍‌ବଳୟରେ କ’ଣ ବିପଦ ରହିଛି ଯଦି ପଚରାଯାଏ ତାହେଲେ ସେଗୁଡ଼ିକ ମଧ୍ୟରେ ଗୋଟିଏ ବଡ଼ ବିପଦ ହେଲା ସରକାରୀ ଓ ଘରୋଇ କ୍ଷେତ୍ରର ଏହି ବର୍ଦ୍ଧିତ ଋଣ ବୋଲି ସେ କହିଛନ୍ତି। ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ସଂପର୍କରେ ଆଇଏମ୍‌ଏଫ୍‌ ଗତ ମଙ୍ଗଳବାର ଯେଉଁ ଆଶାଜନକ ଦୃଶ୍ୟ ଦେଖିଛି ତାହାକୁ ଏହି ଋଣ ବୋଝର କଳାବାଦଲ ମଧ୍ୟ ଢାଙ୍କି ଦେଇ ପାରିବ। ୨୦୧୮ ଏବଂ ୨୦୧୯ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ତେବେ ପରବର୍ତୀ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତି କଠୋର ମୁଦ୍ରାନୀତି ଦ୍ୱାରା ପ୍ରଭାବିତ ହୋଇପାରେ। ଏଥିସହିତ ଯୁକ୍ତରାଷ୍ଟ୍ର ଆମେରିକା କାର୍ଯ୍ୟକାରୀ କରିଥିବା ଆର୍ଥିକ ପ୍ରୋତ୍ସାହନର ଲାଭ ମଧ୍ୟ ଉଭେଇ ଯାଇପାରେ। ବିଶ୍ୱର ଋଣ ସଂପର୍କରେ ଆଇଏମ୍‌ଏଫ୍‌ ଯେଉଁ ଆକଳନ କରିଛି ସେଥିରେ ଚୀନ୍‌ ପାଇଁ ଚିନ୍ତାବ୍ୟକ୍ତ କରାଯାଇଛି। ଘରୋଇ କ୍ଷେତ୍ରର ଋଣ ବୃଦ୍ଧି, ବିଶେଷକରି ଚୀନ୍‌ରେ ଘଟୁଥିବା ଋଣ ବୃଦ୍ଧିର ପ୍ରଭାବ ବିଶ୍ୱର ବର୍ଦ୍ଧିତ ଋଣ ଉପରେ ଅଧିକ ମାତ୍ରାରେ ପଡ଼ୁଛି। ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା ପରେ ଘରୋଇ କ୍ଷେତ୍ରର ଋଣ ବୃଦ୍ଧିରେ ଚୀନ୍‌ର ଯୋଗଦାନ ପ୍ରାୟତଃ ତିନି ଚତୁର୍ଥାଂଶ। ଗତ ଦଶନ୍ଧିରେ ମାନ୍ଦାବସ୍ଥାର ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶର ସରକାର ଅଧିକ ମାତ୍ରାରେ ଅର୍ଥ ଖର୍ଚ କରିଥିଲେ। ଏଥିସହିତ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ କୋହଳ ମୁଦ୍ରାନୀତି ଗ୍ରହଣ କରିଥିଲେ। ତେବେ ବିଭିନ୍ନ ଦେଶର ସରକାର ପୂର୍ବରୁ କରିଥିବା ଋଣ ଅବଧି ପୂରଣ ହେଲେ ସରକାରଙ୍କ ପାଇଁ ପୁନଃ ଅର୍ଥ ଯୋଗାଣ କଷ୍ଟକର ହୋଇଯିବ। ବିଶେଷକରି ଆର୍ଥିକ ନୀତି କଠୋର ହେଲେ ଏହି ସ୍ଥିତି ସୃଷ୍ଟି ହେବ ବୋଲି ଆଇଏମ୍‌ଏଫ୍‌ ସତର୍କ କରାଇ ଦେଇଛି। ସେହିଭଳି ଦେଶଗୁଡ଼ିକର ଅତ୍ୟଧିକ ଋଣ ମାନ୍ଦାବସ୍ଥାକୁ ମୁକାବିଲା କରିବାରେ ଅସୁବିଧା ସୃଷ୍ଟି କରିବ। ଏଥିପାଇଁ ଦେଶଗୁଡ଼ିକ ଆର୍ଥିକ ପାଣ୍ଠି ସୃଷ୍ଟି କରିବା ଆବଶ୍ୟକ। ଫଳରେ କଠୋର ସମୟରେ ସେମାନେ ସେମାନେ ବ୍ୟୟ ପରିମାଣ ବଢ଼ାଇ ପାରିବେ । ୨୦୨୦ ସୁଦ୍ଧା ଆମେରିକାର ବଜେଟ୍‌ ନିଅଣ୍ଟ ୧ ଲକ୍ଷ କୋଟି ଡଲାର ଟପିଯିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ଆମେରିକା ଏହାର ଆର୍ଥିକ ନୀତିକୁ ବ୍ୟବସ୍ଥିତ କରି ମଧ୍ୟମ ଅବଧିରେ ଋଣ ଓ ଜିଡିପି ଅନୁପାତକୁ ହ୍ରାସ କରିବା ଲାଗି ଆଇଏମ୍‌ଏଫ ମତ ଦେଇଛି।

ବିଶ୍ୱରେ ଏକ ତୃତୀୟାଂଶ ବିକଶିତ ଦେଶର ଋଣ ଜିଡିପି ଅନୁପାତ ୮୫%ରୁ ଅଧିକ ରହିଛି। ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରେ ଜାପାନର ଋଣ ଜିଡିପି ଅନୁପାତ ଗତବର୍ଷ ସର୍ବାଧିକ ୨୩୬% ଥିବାବେଳେ ଏହା ପଛକୁ ଇଟାଲିର ୧୩୨% ଏବଂ ଆମେରିକାର ୧୦୮% ରହିଛି। ଅନ୍ୟପକ୍ଷରେ ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ଏବଂ ମଧ୍ୟମ ଆୟବର୍ଗର ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଋଣ ଓ ଜିଡିପି ଅନୁପାତ ୭୦%ରୁ ଅଧିକ ରହିଛି। ୮୪% ସହିତ ବ୍ରାଜିଲ ସର୍ବାଗ୍ରେ ଥିବାବେଳେ ଭାରତର ୭୦.୨ ପ୍ରତିଶତ ରହିଛି। ଆଇଏମ୍‌ଏଫ୍‌ର ରିପୋର୍ଟ ଅନୁଯାୟୀ ଗତବର୍ଷ ଚୀନ୍‌ର ମୋଟ ସରକାରୀ ଋଣ ଜିଡିପିର ୪୭.୮%ରେ ରହିଥିଲା।

ସମ୍ବନ୍ଧିତ ଖବର