ପିଏନ୍‌ବି ଠକେଇ: ନିରବ, ମେହୁଲ୍‌ଙ୍କ ବିରୋଧରେ ଏନ୍‌ବିଡବ୍‌ଲ୍ୟୁ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାରେ ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ପକ୍ଷରୁ ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନ୍‌ବିଡବ୍‌ଲ୍ୟୁ) ଜାରି କରିଛନ୍ତି। ନିରବ ଓ ମେହୁଲ   ହେଉଛନ୍ତି ସମ୍ପର୍କରେ ଭଣଜା ଓ ମାମୁଁ। ଏଲ୍‌ଓୟୁ ଜରିଆରେ ପିଏନ୍‌ବିଠାରୁ ନିରବ ମୋଦି ୧୩୦୦୦ କୋଟି ଟଙ୍କା ଠକି ନେଇଛନ୍ତି। ଉଭୟ ନିରବ ଓ ମେହୁଲ ଦେଶ ଛାଡ଼ି ଚାଲିଯାଇଛନ୍ତି।

ପିଏନ୍‌ବି ଠକେଇ ମାମଲାର ତଦନ୍ତ ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ଆୟକର ବିଭାଗ କରୁଛନ୍ତି। ତଦନ୍ତରେ ସାମିଲ ହେବା ପାଇଁ ସିବିଆଇ ପକ୍ଷରୁ ଉଭୟ ନିରବ ଓ ମହେୁଲଙ୍କୁ ବାରମ୍ବାର ନୋଟିସ୍‌ ଜାରି କରାଯାଉଥିଲେ ମଧ୍ୟ ସେମାନେ ହାଜର ହେଉନାହାନ୍ତି। ସେଥିପାଇଁ ସେମାନଙ୍କ ବିରୋଧରେ ଏନ୍‌ବିଡବ୍‌ଲ୍ୟୁ ଜାରି କରିବାକୁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର ଅଦାଲତ ନିକଟରେ ଆବେଦନ କରାଯାଇଥିଲା। ସିବିଆଇ ପକ୍ଷରୁ ନିରବ ଓ ମେହୁଲଙ୍କ ଅଫିସିଆଲ୍‌ ଇ-ମେଲ୍‌ ଆଇଡିରେ ଅନେକ ଥର ନୋଟିସ୍‌ ପଠାଯାଇଛି। କିନ୍ତୁ ବ୍ୟାବସାୟିକ କାମ ଓ ସ୍ୱାସ୍ଥ୍ୟଗତ ସମସ୍ୟା ବାହାନା କରି ସେମାନେ ତଦନ୍ତର ଅଂଶ ହେବାକୁ ମନା କରିଦେଇଛନ୍ତି। ଏହି ଦୁଇ ଜଣ ବ୍ୟାଙ୍କ ଠକଙ୍କ ବିରୋଧରେ ଏନ୍‌ବିଡବ୍‌ଲ୍ୟୁ ଜାରି କରାଯାଇଥିବାରୁ, ଆଗାମୀ ଦିନରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇପାରେ ବୋଲି ମଧ୍ୟ ଚର୍ଚା ହେଉଛି।

ସରକାର କହୁଛନ୍ତି ନିରବ ହଂକଂରେ ଲୁଚିଛନ୍ତି। ତାଙ୍କୁ ସେଠାରୁ ଭାରତ ଫେରାଇ ଆଣିବା ପାଇଁ ସରକାର ପ୍ରୟାସ କରୁଥିବା ମଧ୍ୟ କହୁଛନ୍ତି। ଇତି ମଧ୍ୟରେ ସିବିଆଇ ପକ୍ଷରୁ କେତେକ ଭାରତୀୟ ବ୍ୟାଙ୍କର ବିଦେଶ ଶାଖାରେ କାମ କରୁଥିବା ଷ୍ଟାଫ୍‌୍‌ମାନଙ୍କୁ ଠକେଇ ସମ୍ପର୍କରେ ପଚରାଉଚୁରା କରାଯାଇଛି। ଆହ୍ଲାବାଦ ବ୍ୟାଙ୍କରେ ହଂକଂରେ ଥିବା ଶାଖାର ଦୁଇ ଜଣ ଅଧିକାରୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି। ଖୁବ୍‌ଶୀଘ୍ର ସେମାନେ ତଦନ୍ତରେ ସାମିଲ ହେବେ ବୋଲି କୁହାଯାଉଛି। ପିଏନ୍‌ବି ଠକେଇର କେନ୍ଦ୍ର ସ୍ଥଳ ଥିଲା ମୁମ୍ବାଇରେ ଥିବା ବ୍ରାଡି ହାଉସ୍‌ ଶାଖା। ଏହି ଶାଖାର କିଛି କର୍ମଚାରୀଙ୍କୁ ହାତ କରି ଏଲ୍‌ଓୟୁ ଜରିଆରେ ନିରବ ମୋଦି ୧୩ ହଜାର କୋଟି ଟଙ୍କାର ଋଣ ନେଇ ଦେଶ ଛାଡ଼ି ଚାଲିଯାଇଛନ୍ତି। ଏହି ମାମଲାରେ ବ୍ୟାଙ୍କର କେତେକ ଅଧିକାରୀଙ୍କୁ ସିବିଆଇ ପକ୍ଷରୁ ଗିରପ କରାଯାଇଛି। ସୋସାଇଟି ଫର ଓ୍ଵାର୍ଲଡ୍‌ଓ୍ଵାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେସନ୍‌ (ସ୍ୱିଫ୍ଟ) ବ୍ୟବସ୍ଥାରେ ରହିଥିବା ଛିଦ୍ରର ଫାଇଦା ଉଠାଇ ପିଏନ୍‌ବିରେ ବଡ଼ ଧରଣର ଠକେଇ କରାଯାଇଥିଲା। ନିରବଙ୍କ ସଂସ୍ଥା ନାମରେ କୋଟି କୋଟି ଟଙ୍କାର ଏଲ୍‌ଓୟୁ ମଞ୍ଜୁର କରାଯାଉଥିଲା, ମାତ୍ର ତାହାକୁ ସ୍ୱିଫ୍ଟ ବ୍ୟବସ୍ଥାରେ ସାମିଲ କରାଯାଉନଥିଲା।

ସମ୍ବନ୍ଧିତ ଖବର