ମୂଳ ଦାମ୍‌ ୩୮, ଟିକସ ୩୯ ଟଙ୍କା:ଦାମ୍‌ଠୁ ବଳିଗଲା ଟିକସ

ଆଜିର ଦର: ପେଟ୍ରୋଲ୍‌ ଡିଜେଲ୍‌୭୮.୧୮ ୭୬.୫୪

ଭୁବନେଶ୍ୱର: ପେଟ୍ରୋଲ୍‌ ଓ ଡିଜେଲ ଦର ଦିନକୁ ଦିନ ବେଲଗାମ ହେବାରେ ଲାଗିଛି। ଲୋକମାନେ ଯେଉଁ ତେଲ କିଣୁଛନ୍ତି ତା’ଉପରେ ମୋଟା ଅଙ୍କର ଟିକସ ଗଣୁଛନ୍ତି। ତେଲ୍‌ର ପ୍ରକୃତ ମୂଲ୍ୟ ଯେତିକି ଟଙ୍କା ତା’ଠାରୁ ଅଧିକ ଟିକସ ଦେଉଛନ୍ତି। ଏକ ଲିଟର ପେଟ୍ରୋଲ୍‌ କିଣିବା ବେଳେ ଗ୍ରାହକମାନେ ପ୍ରାୟ ୩୯ ଟଙ୍କାର ଟିକସ ଦେଉଛନ୍ତି। ସେହିପରି ଏକ ଲିଟର୍‌ ଡିଜେଲ୍‌ରେ ୩୫ ଟଙ୍କାର ଟିକସ ଆଦାୟ କରାଯାଉଛି।
ସୋମବାର ପେଟ୍ରୋଲ୍‌ ଦର ୭୮ ଟଙ୍କା ୨ ପଇସା ଓ ଡିଜେଲ୍‌ ୭୬ ଟଙ୍କା ୩୪ ପଇସା ଥିଲା। ପେଟ୍ରୋଲ୍‌ ଉପରେ ୩୯ ଟଙ୍କା ୪୭ ପଇସାର ଟିକସ ଆଦାୟ କରାଯାଉଥିବା ବେଳେ ଡିଜେଲ୍‌ ଉପରୁ ୩୪ ଟଙ୍କା ୮୭ ପଇସା ଟିକସ ଆଦାୟ କରାଯାଉଛି।
ମଙ୍ଗଳବାର ପାଇଁ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୮ ଟଙ୍କା ୧୮ ପଇସା ହୋଇଛି। ଡିଜେଲ ଦର ୭୬ ଟଙ୍କା ୫୪ ପଇସା ଓ ଏକ୍ସଟ୍ରା ପ୍ରିମିୟମ୍‌ ପେଟ୍ରୋଲ୍‌ ମୂଲ୍ୟ ୮୧ ଟଙ୍କା ୧୦ ପଇସା ହୋଇଛି। ସୋମବାର ତୁଳନାରେ ପେଟ୍ରୋଲ୍‌ ଦର ୧୬ ପଇସା ଓ ଡିଜେଲ ଦର ୨୦ ପଇସା ବଢ଼ିଛି।
କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରେ ୧୯ ଟଙ୍କା ୪୮ ପଇସା ଓ ଡିଜେଲ୍‌ ଉପରେ ୧୫ ଟଙ୍କା ୩୩ ପଇସାର ଉତ୍ପାଦନ ଶୁଳ୍କ ଲଗାଇଛନ୍ତି। ତେଲ ଦରରେ ଯେତେ ହ୍ରାସ/ବୃଦ୍ଧି ହେଲେ ଏହି ଟିକସରେ କୌଣସି ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍‌ରେ ନିୟମିତ ପରିବର୍ତ୍ତନ ହୋଇଥାଏ। ତେଲ ଦରରେ ହେଉଥିବା ବୃଦ୍ଧି ଯୋଗୁ ରାଜ୍ୟଗୁଡ଼ିକ ଅଧିକ ରାଜସ୍ୱ ପାଇଥାନ୍ତି।
ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୧୦ ଦିନ ହେଲା ବୃୃଦ୍ଧି ପାଉଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୪ ମଧ୍ୟରେ ପେଟ୍ରୋଲ୍‌ ଦର ୧ ଟଙ୍କା ୬୩ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ୨ ଟଙ୍କା ୩୩ ପଇସା ମହଙ୍ଗା ହୋଇଛି।
ଓଡ଼ିଶା ବଜାର ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଡିଜେଲ୍‌ ଦର। ଏଠାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ମଧ୍ୟରେ ମାତ୍ର ଦୁଇ ଟଙ୍କା ପାଖାପାଖିର ଅନ୍ତର ରହିଛି।
ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ଏହାର ପ୍ରଭାବ ସିଧାସଳଖ ତେଲ ଉପରେ ପଡ଼ିଛି। ଭାରତ ଏହାର ତୈଳ ଚାହିଦାର ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ତେଣୁ ତେଲ କିଣିବା ବାବଦରେ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସରକାର ତେଲ ଦରକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିସାରିଥିବାରୁ ଏହାର ବୋଝ ମଧ୍ୟ ଖାଉଟିଙ୍କ ଉପରେ ପଡ଼ୁଛି।

ସମ୍ବନ୍ଧିତ ଖବର