ଅଶୋଧିତ ତେଲ ଦର ୭୫ ଡଲାର ଟପିଲା

ଲଣ୍ଡନ: ପେଟ୍ରୋଲ୍‌ ଓ ଡିଜେଲ କିଣାକିଣି କରୁଥିବା ଗ୍ରାହକଙ୍କ ଦୁଃଖ ଏତେ ଶୀଘ୍ର ଦୂର ହେବନାହିଁ। କାରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଆହୁରି ମହଙ୍ଗା ହେବାରେ ଲାଗିଛି। ଆଜି ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୫ ଡଲାର ଟପିଯାଇଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ମୂଲ୍ୟ ୭୫.୨୭ ଡଲାର ହୋଇଥିବା ବେଳେ ୟୁଏସ୍‌ କ୍ରୁଡ୍‌ ମୂଲ୍ୟ ୬୯.୧୫ ଡଲାର ରହିଛି। ବ୍ରେଣ୍ଟ୍‌ କ୍ରୁଡ୍‌ ମୂଲ୍ୟରେ କ୍ରମାଗତ ଷଷ୍ଠ ଦିନ ପାଇଁ ବୃଦ୍ଧି ପାଇଛି। ୨୦୧୪ ନଭେମ୍ବର ପରେ ଅଶୋଧିତ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ୨୦୧୬ରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ତୈଳ ଦର ୨୭ ଡଲାର ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଆମେରିକା ଓ ଇରାନ ମଧ୍ୟରେ ଆଣବିକ ଚୁକ୍ତିକୁ ନେଇ ଅନିଶ୍ଚିତତା ଓ ସିରିଆ ସଙ୍କଟ ଯୋଗୁଁ ତେଲ ଦର ବଢ଼ୁଛି। ଇରାନ ସହ ଚୁକ୍ତି ବାତିଲ କରି ପୁଣି ଅର୍ଥନୈତିକ କଟକଣା ଜାରି କରିବା ଉପରେ ଆମେରିକା ବିଚାର କରୁଛି। ଯଦି ଏଭଳି ହେବ ତେବେ ତେଲ ବଜାରରେ ପୁଣି ଥରେ ଅସ୍ଥିରତା ସୃଷ୍ଟି ହେବ।

ସମ୍ବନ୍ଧିତ ଖବର