ଅର୍ଥ ବିଭାଗ ଅଧୀନକୁ ଆସିବ ‘ପିପିପି ସେଲ୍‌’

ଭୁବନେଶ୍ବର : ଘରୋଇ ସରକାରୀ ସହଭାଗିତା (ପିପିପି) ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ଲାଗି ‘ପିପିପି ସେଲ୍‌’କୁ ଅର୍ଥ ବିଭାଗ ଅଧୀନକୁ ଆଣିବା ବିଷୟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବର୍ତ୍ତମାନ ଏହି ସେଲ୍ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ରହିଛି। ମାତ୍ର, ବିଶେଷଜ୍ଞମାନଙ୍କ ମତ ହେଉଛି ଯଦି ଏହାକୁ ଅର୍ଥ ବିଭାଗ ଅଧୀନକୁ ଅଣାଯିବ ତେବେ ବିଭିନ୍ନ ସ୍ତରରେ ଉତ୍ତମ ସମନ୍ବୟ ରକ୍ଷା କରାଯାଇପାରିବ ଏବଂ ପ୍ରକଳ୍ପଗୁଡ଼ିକୁ ଅତିରିକ୍ତ ବଜେଟ୍ ସହାୟତା ମିଳିପାରିବ। ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପିପିପି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା ଲାଗି ଆୟୋଜନ କରାଯାଇଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ଏହା ବ୍ୟତୀତ, ପିପିପି ସେଲ୍‌କୁ ଏକ ବିଶେଷଜ୍ଞ ନିର୍ଦେଶାଳୟ ଭାବେ ବିକଶିତ କରିବା ଲାଗି ବୈଠକରେ ଆଲୋଚନା ହୋଇଥିଲା। ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ତତ୍ତ୍ବାବଧାନରେ ଏହାକୁ ନେଇ ଏକ ପ୍ରସ୍ତାବ ପ୍ରସ୍ତୁତ କରି ଅନୁମୋଦନ ନିମନ୍ତେ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଏଥି ସହିତ ପିପିପି ପ୍ରକଳ୍ପଗୁଡ଼ିକ ନିମନ୍ତେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁ୍ତ କରିବା ପାଇଁ ବୈଷୟିକ ସହାୟତା ଯୋଗାଇ ଦେବାକୁ ସେ ବିଭାଗଗୁଡ଼ିକୁ କହିଛନ୍ତି।

ଆଜିର ବୈଠକରେ ୨୦୧୯ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆସିଥିବା ୧୮,୩୪୯ କୋଟି ଟଙ୍କାର ୮୮ଟି ପିପିପି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯାଇଛି। ଏହି ସବୁ ପ୍ରକଳ୍ପ ରାଜ୍ୟର ପରିବହନ, ଶିଳ୍ପ ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, ସଡ଼କ, ପର୍ଯ୍ୟଟନ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ଶକ୍ତି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି। ସମୁଦାୟ ୮୮ଟି ପ୍ରକଳ୍ପ ମଧ୍ୟରୁ ୮୩୬୫ କୋଟି ଟଙ୍କା ମୂଲ୍ୟର ୫୭ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା ବେଳେ ୪୮୬୧ କୋଟି ଟଙ୍କା ମୂଲ୍ୟର ୭୧ଟି ପ୍ରକଳ୍ପର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ବଳକା ୫୧୨୩ କୋଟି ଟଙ୍କାର ୧୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା କହିଛନ୍ତି।

ସମ୍ବନ୍ଧିତ ଖବର