ପାଚେରିରେ ବିଜ୍ଞାପନ କରି ଆୟ ବଢ଼ାଇବ ରେଳବାଇ

ନୂଆଦିଲ୍ଲୀ: ପ୍ରସ୍ତାବିତ ହାଇ ସ୍ପିଡ୍‌ ରେଳ କରିଡର୍‌ର ଦୁଇ ପଟେ ପାଚେରି ନିର୍ମାଣ ସହିତ ସେଥିରେ ବିଜ୍ଞାପନ କରି ରାଜସ୍ୱ ବଢ଼ାଇବା ଯୋଜନା ଉପରେ ରେଳବାଇ ଗୁରୁତ୍ୱର ସହ ବିଚାର କରୁଛି। ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଟିକଟ ବାଦ୍‌ ରେଳବାଇ କିଭଳି ଏହାର ରାଜସ୍ୱ ବୃଦ୍ଧି କରି ପାରିବ। ମିଳିଥିବା ସୂଚନା ଅନୁଯାୟୀ ନିର୍ମାଣ ହେବାକୁ ଥିବା ପାଚେରି ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହିତ ଉପାର୍ଜନର ମାଧ୍ୟମ ମଧ୍ୟ ହେବ। ଏପରିକି ପାଚେରି ନିର୍ମାଣ ବାବଦରେ ଯେଉଁ ଅର୍ଥ ଖର୍ଚ ହେବ ସେ ବାବଦ ରାଜସ୍ୱ ରେଳବାଇ ବିଜ୍ଞାପନରୁ ଉଠାଇବ। ରେଳବାଇ ଏଥିପାଇଁ ଏଭଳି ଠିକାଦାରଙ୍କ ସହିତ କଥାବାର୍ତା ଚଳାଇଛି ଯେଉଁମାନେ କି ପିି୍ର-ଫେବ୍ରିକେଟେଡ ପାଚେରି ନିର୍ମାଣ କରିପାରିବେ। ସେମାନଙ୍କୁ ବିଜ୍ଞାପନ ଆୟର ଅଂଶଦାରୀ ମଧ୍ୟ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ-ମୁମ୍ବାଇ ହାଇସ୍ପିଡ ରେଳ କରିଡରର ଯୋଜନା ଏବେ ଚାଲିଛି। ଏହି ରେଳ ଧାରଣା କଡ଼ରେ ସୁରକ୍ଷା ପାଇଁ ପାଚେରିର ଆବଶ୍ୟକତା ମଧ୍ୟ ରହିଛି। ପାଚେରିରେ ବିଜ୍ଞାପନ କରି ରାଜସ୍ୱ ବଢ଼ାଇବା ଉପରେ ମଧ୍ୟ ବିଚାର କରାଯାଉଛି ବୋଲି କୁହାଯାଉଛି। ହାଇସ୍ପିଡ କରିଡରର ସବୁ ସ୍ଥାନରେ ପାଚେରି ନିର୍ମାଣ ହେବାକୁ ଥିଲେ ମଧ୍ୟ ପ୍ରଥମେ ସହରାଞ୍ଚଳରେ ଏହି ପାଚେରି ନିର୍ମାଣ ଯୋଜନା ରହିଛି। ରେଳ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ଏଥିରେ ଶବ୍ଦ ପ୍ରଦୂଷଣ କମାଇବା ପାଇଁ ଧ୍ୱନି ରୋଧକ ପାଚେରି ନିର୍ମାଣର ବିକଳ୍ପ ମଧ୍ୟ ରହିଛି। ପାଚେରି ଗୁଡ଼ିକ ପ୍ରାୟ ୭ରୁ ୮ ଫୁଟ ଉଚ୍ଚ ବିଶିଷ୍ଟ ହେବ ଏବଂ ଦୁଇ ପାର୍ଶ୍ୱରେ ବିଜ୍ଞାପନ ଛାପିବାର ସୁବିଧା ରହିବ।

ସମ୍ବନ୍ଧିତ ଖବର