ଶିଳ୍ପପତିଙ୍କୁ ପ୍ରଭାବିତ କଲା ରାସ୍ତାକଡ଼ ଜୋତା ସିଲେଇ ଦୋକାନ

ନୂଆଦିଲ୍ଲୀ: ଅନେକ ସମୟରେ ସାଧାରଣ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଡ଼ ଲୋକଙ୍କୁ ପ୍ରଭାବିତ କରିଥାଏ। ଯେଭଳି ହରିୟାଣାର ଜିନ୍ଦ୍‌ ସହରରେ ରାସ୍ତା କଡ଼ରେ ଜୋତା ସିଲେଇ କରୁଥିବା ବ୍ୟକ୍ତି ନରସି ରାମ୍‌ଙ୍କ ‘ଜଖ୍‌ମି ଜୁତୋଁ କା ହସ୍ପିଟାଲ’ ମହିନ୍ଦ୍ରା ଗ୍ରୁପ୍‌  ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କରିଛି। ଜୋତା ହସ୍ପିଟାଲର ମାଲିକ ମଧ୍ୟ ନିଜ ନାମ କେବଳ ନରସି ରାମ୍‌ ନଲେଖି ଡାକ୍ତର ନର୍‌ସି ରାମ୍‌ ଲେଖିଛନ୍ତି। ବୋର୍ଡରେ ଆହୁରି ମଧ୍ୟ ଲେଖାଯାଇଛି ଏଠାରେ ଓପିଡି ବା ବର୍ହିବିଭାଗ ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହେ। ଅପରାହ୍‌ଣ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ବିରତି। ଅପରାହ୍‌ଣ ୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଡାକ୍ତରଖାନା ଖୋଲା ରହିଥାଏ। ଏଥିସହିତ ଏଠାରେ ସବୁ ପ୍ରକାର ଜୋତାର ଚିକିତ୍ସା ଜର୍ମାନ ପ୍ରଯୁକ୍ତିରେ ହୋଇଥାଏ। ହ୍ଵାଟ୍‌ସଆପ୍‌ରେ ପ୍ରଥମେ ଏହି ଛବି ପାଇଥିବା ଆନନ୍ଦ ମହିନ୍ଦ୍ରା ଉକ୍ତ ବ୍ୟକ୍ତିଙ୍କ ଠିକଣା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ ଦୋକାନର ଠିକଣା ମଧ୍ୟ ମିଳି ଯାଇଥିଲା। ହରିୟାଣାର ଜିନ୍ଦ୍‌ ସହରର ପଟିଆଲା ଛକରେ ଏହି ଦୋକାନ ଅଛି। ନରସି ରାମ୍‌ଙ୍କ ଏହି ନୂଆ ଚିନ୍ତାଧାରାର ବୋର୍ଡରେ ପ୍ରଭାବିତ ହୋଇ ଗତ ଏପ୍ରିଲରେ ଆନନ୍ଦ ମହିନ୍ଦ୍ରା ଏହି ଦୋକାନର ଫଟୋ ଟ୍ଵିଟ୍‌ କରିଥିଲେ। ନରସି ରାମ୍‌ଙ୍କୁ ଆଇଆଇଏମ୍‌ରେ ଶିକ୍ଷାଦାନ କରିବା ସୁଯୋଗ ମିଳିବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ। ନରସି ରାମ୍‌ଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ପକ୍ଷରୁ ଏକ ନୂଆ ଅତ୍ୟାଧୁନିକ ଦୋକାନ ଯୋଗାଇ ଦିଆଯାଇଛି। ଆନନ୍ଦ ମହିନ୍ଦ୍ରା ସେହି ନୂଆ ଜୋତା ଦୋକାନର ଫଟୋ ଟ୍ଵିଟ୍‌ କରିବା ସହିତ ଉଲ୍ଲେଖ କରିଛନ୍ତି ଯେ ନରସି ରାମ୍‌ ତାଙ୍କ ନୂଆ କାର୍ଯ୍ୟାଳୟକୁ ପସନ୍ଦ କରିବା ଆଶା ମୋର ରହିଛି । ଡାକ୍ତର ନର୍‌ସି ରାମ୍‌ଙ୍କ ଖଣ୍ଡିଆ ଖାବରା ହୋଇଥିବା ଜୋତାର ଡାକ୍ତରଖାନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏପରିକି ନର୍‌ସି ରାମ୍‌ଙ୍କ ଷ୍ଟାର୍ଟ ଅପ୍‌ରେ ସେ ପୁଞ୍ଜି ଖଟାଇବାକୁ ମଧ୍ୟ ରାଜି ଅଛନ୍ତି ବୋଲି ଆନନ୍ଦ ମହିନ୍ଦ୍ରା ପୂର୍ବରୁ ଟ୍ଵିଟ୍‌ କରିଥିଲେ। ନୂଆ ଜୋତା ଦୋକାନ ବା ହସ୍ପିଟାଲ ଦେଖିବାକୁ ଭାରି ସୁନ୍ଦର ହୋଇଛି।

ସମ୍ବନ୍ଧିତ ଖବର