ଖୁଚୁରା ଦରଦାମ୍‌ ବେଲଗାମ, ସାମଗ୍ରୀ ଦର ୧୬ ମାସରେ ସର୍ବାଧିକ

ନୂଆଦିଲ୍ଲୀ : ଦେଶର ଖୁଚୁରା ବଜାରରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଛି। ଗତ ଅକ୍ଟୋବର ମାସରେ ବିଭିନ୍ନ ସାମଗ୍ରୀ ଦରରେ ବୃଦ୍ଧି ଘଟିଛି। ତାହାର ପ୍ରଭାବରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୬୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫତି ହାର ୪.୨୯ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ତାହା ୫.୧୧ ପ୍ରତିଶତ ରହିଛି।

ବିଭିନ୍ନ ସାମଗ୍ରୀର ଦରଦାମ୍‌ରେ ହେଉଥିବା ହ୍ରାସ ଓ ବୃଦ୍ଧିକୁ ମୁଦ୍ରାସ୍ଫୀତି ଜରିଆରେ ପ୍ରଦର୍ଶିତ କରାଯାଇଥାଏ। ଏହି ମୁଦ୍ରାସ୍ଫୀତି ହାର ବିଗତ ୧୬ ମାସ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିପାଇଁ ଯେଉଁ ସୀମା ଧାର୍ଯ୍ୟ କରିଥିଲେ ତାହାକୁ ମଧ୍ୟ ଏହା ଟପିଯାଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ଦାମ୍ ବଢ଼ିବା ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ହାର ବଢ଼ିଛି। ଖାଦ୍ୟ ସାମଗ୍ରୀ ଦରକୁ ନେଇ ରିଜର୍ଭ ବ୍ୟାଙ୍କ ଯେଉଁ ଆକଳନ କରିଥିଲା ତାହା ମଧ୍ୟ ଭୁଲ ପ୍ରମାଣିତ ହୋଇଛି। ରିଜର୍ଭ ବ୍ୟାଙ୍କ ପୂର୍ବରୁ କହିଥିଲା ଯେ, ବଜାରକୁ ଶୀତ ସମୟର ପନିପରିବା ଆସିବା ଆରମ୍ଭ ହୋଇଯାଇଥିବାରୁ ଖାଦ୍ୟ ସାମଗ୍ରୀ ଦର ମଧ୍ୟମ ଧରଣ ସ୍ତର‌େର ରହିବ। ଗତ ଜୁଲାଇ ମାସ ଠାରୁ ନିୟମିତ ଭାବେ ଖୁଚୁରା ମୁଦ୍ରାସ୍ଫୀତି ହାର ବଢ଼ୁଛି। ଜୁଲାଇରେ ଏହି ହାର ୩.୧୫ ପ୍ରତିଶତ ଥିଲା। ଅଗଷ୍ଟରେ ତାହା ୩.୨୮%, ‌ସେପ୍ଟେମ୍ବରରେ ୩.୯୯ ପ୍ରତିଶତ ଓ ଅକ୍ଟୋବରରେ ୪.୬୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ଗତ ଅକ୍ଟୋବରରେ ୭.୮୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ତାହା ୫.୧% ଥିଲା। ଶକ୍ତି ଓ ଖାଦ୍ୟ ସାମଗ୍ରୀକୁ ବାଦ ଦେବା ପରେ ଅନ୍ୟ ସାମଗ୍ରୀଗୁଡ଼ିକର ଦରଦାମ୍‌କୁ ଆକଳନ କରିବା ଲାଗି ଜାରି କରାଯାଉଥିବା ମୌଳିକ ମୁଦ୍ରାସ୍ଫୀତି ହାର ୩.୫% ରହିଛି। ଡାଲି ମୁଦ୍ରାସ୍ଫୀତି ୧୧.୭୨ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ପନିପରିବା ଦାମ୍‌ରେ ୨୬% ଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ପୋଷାକ ଓ ଜୋତାର ମୁଦ୍ରାସ୍ଫୀତି ୧.୬୫% ରହିଛି। ସହରାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୧୦.୪୭ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଇନ୍ଧନ ଓ ଆଲୋକ ମୁଦ୍ରାସ୍ଫୀତିରେ ହ୍ରାସ ଘଟିଥିବା ବେଳେ ହାଉସିଂ ମୁଦ୍ରାସ୍ଫୀତି ୫.୮% ରହିଛି। ୨୦୧୨ରେ ଶେଷ ଥର ଲାଗି ହାରାହାରି ମୁଦ୍ରାସ୍ଫୀତି ହାରକୁ ୫.୯୮% ଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର