ଆଜି ଆଧାର ରାୟ

ନୂଆଦିଲ୍ଲୀ: ବିଭିନ୍ନ ସାମାଜିକ ମଙ୍ଗଳ ଯୋଜନା ସହିତ ଆଧାର ସଂଯୋଗର ଅନ୍ତରୀଣ ରାୟ ଆସନ୍ତାକାଲି ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି। ବିଭିନ୍ନ ସାମାଜିକ ମଙ୍ଗଳ ଯୋଜନା ସହିତ ଆଧାର ସଂଯୋଗକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ତେବେ ଏସବୁର ଶେଷ ଦିବସକୁ ଆସନ୍ତା ମାର୍ଚ ୩୧ ତାରିଖକୁ ସରକାର ଗତକାଲି ବୃଦ୍ଧି କରିଥିବାରୁ ସୁପ୍ରିମକୋର୍ଟ ଆଜି ଏହି ମାମଲାର ରାୟ ପ୍ରକାଶ ଆସନ୍ତାକାଲି ହେବ ବୋଲି କହିଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି ଯେ, ଆଧାର ସଂଯୋଗକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ଆସନ୍ତାବର୍ଷ ଜାନୁଆରି ୧୭ରୁ ଆରମ୍ଭ ହେବ। ଏହି ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ଏ. କେ. ସିକ୍ରି, ଏ. ଏମ୍‌. ଖାନ୍‌ଓ୍ଵିଲକର୍‌, ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣ ରହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଖଣ୍ଡପୀଠକୁ ଅବଗତ କରାଇଥିଲେ ଯେ ବିଭିନ୍ନ ସେବା ଓ ସାମାଜିକ ମଙ୍ଗଳ ଯୋଜନାର ଲାଭ ପାଇବା ପାଇଁ ବାଧ୍ୟତାମୂଳକ ଆଧାର ସଂଯୋଗକୁ ଆସନ୍ତା ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଆଗ୍ରହୀ ଅଛନ୍ତି। ତେବେ ନୂଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିବା ଲାଗି ଅନୁମତି ଦେବାକୁ ଶ୍ରୀ ବେଣୁଗୋପାଳ ଖଣ୍ଡପୀଠକୁ କହିଥିଲେ। ବ୍ୟାଙ୍କ ଖାତା ଓ ଅନ୍ୟ କେତେକ ଆର୍ଥିକ କାରବାର ପାଇଁ ଆଧାର ଓ ପାନ୍‌ ନମ୍ବର ଉଲ୍ଲେଖର ଶେଷ ତାରିଖକୁ ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଗତକାଲି ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ମୋବାଇଲ ସିମ୍‌ ସହିତ ଆଧାର ସଂଯୋଗର ଶେଷ ତାରିଖ ଫେବ୍ରୁଆରି ୬ ରହିଥିବାବେଳେ ଏହାକୁ ବୃଦ୍ଧି କରିବା ସମ୍ପର୍କରେ ସରକାରଙ୍କ ବିଜ୍ଞପ୍ତିରେ କିଛି କୁହାଯାଇନାହିଁ। ଏ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏହି ତାରିଖ ଧାର୍ଯ୍ୟ ହୋଇଛି। ତେବେ ସମ୍ବିଧାନ ଖଣ୍ଡପୀଠ ଏହାର ଶେଷ ତାରିଖ ଘୁଞ୍ଚାଇବାକୁ ବିଚାର କରିପାରିବେ ବୋଲି ଶ୍ରୀ ବେଣୁଗୋପାଳ କହିଛନ୍ତି।

ସମ୍ବନ୍ଧିତ ଖବର