ଟୟୋଟା ବିକିବ ମାରୁତି ବାଲେନୋ

ନୂଆଦିଲ୍ଲୀ: ମାରୁତି ସୁଜୁକି ପକ୍ଷରୁ ପ୍ରତିବର୍ଷ ଟୟୋଟାକୁ ୨୫ ହଜାର ବାଲେନୋ ପ୍ରଦାନ କରାଯିବ। ସେହି ସବୁ କାର୍‌୍‌ଗୁଡ଼ିକ ନିଜ ନାମ ପ୍ରଦାନ କରି ଟୟୋଟା ବିକ୍ରି କରିବ। ଦୁଇ କଂପାନି ମଧ୍ୟରେ କ୍ରସ୍‌-ବ୍ୟାଜିଂକୁ ନେଇ ପୂର୍ବରୁ ବୁଝାମଣା ସ୍ୱାକ୍ଷରିତ ହୋଇଛି। ମାରୁତି ସୁଜୁକି ସ୍ଥାନରେ ଟୟୋଟା ନାମ ବ୍ୟବହାର କରି କଂପାନି ବାଲେନୋଗୁଡ଼ିକୁ ବିକ୍ରି କରିବ।
କ୍ରସ୍‌-ବ୍ୟାଜିଂ ପାଇଁ ପ୍ରଥମ କାର୍‌ ଭାବେ ମାରୁତିର ବାଲେନୋକୁ ଟୟୋଟା ଚୟନ କରିଛି। ଆସନ୍ତା ଆର୍ଥିକ ବର୍ଷ ପ୍ରାରମ୍ଭରୁ ଟୟୋଟାର ଡିଲର୍‌ସିପ୍‌ଗୁଡ଼ିକରେ ମାରୁତି ବାଲେନୋ ବିକ୍ରି ଆରମ୍ଭ ହେବ। ସୁଜୁକି ପକ୍ଷରୁ ଗୁଜରାଟ କାରଖାନାରେ ଉତ୍ପାଦନ କରାଯାଉଥିବା ବାଲେନୋଗୁଡ଼ିକୁ ଟୟୋଟାକୁ ପ୍ରଦାନ କରାଯିବ। କାର୍‌ର ଭିତର ଓ ବାହାର ପାର୍ଶ୍ୱରେ କଂପାନି କେତେକ ପରିବର୍ତ୍ତନ ଆଣିବ। ହେଡ୍‌ଲ୍ୟାମ୍ପ୍‌, ଟେଲ୍‌ ଲ୍ୟାମ୍ପ୍‌ ଓ ସାମ୍ନା ଗ୍ରିଲ୍‌ରେ ପରିବର୍ତ୍ତନ କରିବା ପରେ ବାଲେନୋଗୁଡ଼ିକୁ ଟୟୋଟାକୁ ହସ୍ତାନ୍ତର କରାଯିବ।
୨୦୧୫ରେ ବଜାରକୁ ଆସିଥିବା ବାଲେନୋ ମାରୁତି ପାଇଁ ଅନେକ ସଫଳତା ଆଣିଦେଇଛି। ପ୍ରତି ମାସରେ ୧୫ ହଜାରରୁ ଅଧିକ ବାଲେନୋ ବିକ୍ରି ହେଉଛି। ଆଗାମୀ କିଛି ଦିନ ମଧ୍ୟରେ ଭିଟାରା ବ୍ରିଜାକୁ ମଧ୍ୟ ଟୟୋଟାକୁ ହସ୍ତାନ୍ତର କରିବା ଉପରେ ମାରୁତି ସୁଜୁକି ବିଚାର କରୁଛି।
ବୁଝାମଣାର ଅଂଶ ସ୍ୱରୂପ ଟୟୋଟା ପକ୍ଷରୁ ଏହାର କରୋଲା ସେଦାନ୍‌କୁ ମାରୁତି ସୁଜୁକିକୁ ପ୍ରଦାନ କରାଯିବ। କରୋଲାକୁ ମାରୁତି ଡିଲର୍‌ସିପ୍‌ଗୁଡ଼ିକରେ ବିକ୍ରି କରାଯିବ।
ପୂର୍ବରୁ ରେନଲ୍ଟ-ନିସାନ୍‌ ଓ ଫକ୍ସଓ୍ଵାଗନ୍‌-ସ୍କୋଡା ମଧ୍ୟରେ ଏଭଳି ବୁଝାମଣା ରହିଛି। ଗୋଟିଏ ପ୍ରକାର ଗାଡ଼ିକୁ ରେନଲ୍ଟ ଡଷ୍ଟର ଓ ନିସାନ ଟେରାନୋ ନାମରେ ବିକ୍ରି କରାଯାଉଥିବା ବେଳେ ସେହିଭଳି ଗୋଟିଏ ପ୍ରକାର ମଡେଲ୍‌କୁ ଫକ୍ସଓ୍ଵାଗନ୍‌ ଭେଣ୍ଟୋ ଓ ସ୍କୋଡା ରାପିଡ୍‌ ନାମରେ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର