କମିପାରେ ଟିଭି ଦର

କୋଲକାତା: ଦେଶରେ ଗତ କିଛିମାସ ହେଲା ଟେଲିଭିଜନ ଦାମ କମିଛି। ଭାରତରେ ମୁଖ୍ୟତଃ ଦକ୍ଷିଣ କୋରିଆର ଦୁଇ କମ୍ପାନି ସାମସଙ୍ଗ ଓ ଏଲଜି ଅଧିକ ସଂଖ୍ୟାରେ‌ ଟିଭି ବିକ୍ରି କରିଥାନ୍ତି। କିନ୍ତୁ ଗତ କିଛିମାସ ହେଲା ଦେଶରେ ଅନଲାଇନ୍‌ରେ ‌ଟିଭି ବିକ୍ରି ହେବା ସହିତ ଚୀନ୍ କମ୍ପାନି ଭାରତ ବଜାରରେ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବା ଉଦ୍ୟମ ଚଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଲ୍‌ଜି ଓ ସାମସଙ୍ଗ ଭଳି କମ୍ପାନି ଆଗାମୀ କିଛି ମାସ ମଧ୍ୟରେ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିବା ସମ୍ଭାବନା ରହିଛି ବୋଲି ଟିଭି ଶିଳ୍ପର ୪ଜଣ ବରି‌ଷ୍ଠ ଅଧିକାରୀ ମତ ଦେଇଛନ୍ତି। ୪୩ରୁ ୫୫ ଇଞ୍ଚ ଟିଭି ବର୍ଗରେ ମୂଲ୍ୟ ହ୍ରାସର ପୂରା ପ୍ରଭାବ ଆସନ୍ତା ଦୀପାବଳି ସୁଦ୍ଧା ଦେଖିବାକୁ ମିଳିବ। ଚଳିତ ମାସ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିଭି ଦର ପ୍ରାୟ ୮ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ସେପ୍ଟେମ୍ବର ସୁଦ୍ଧା ଦର ୮ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ଏଲ୍‌ଜି ଏହାର ଟିଭିର ଷ୍ଟିକର୍ ପ୍ରାଇସ୍ ୩ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିବାବେଳେ ସାମସଙ୍ଗ ରିଟେଲ ବିକ୍ରେତାମାନଙ୍କୁ ପୁରୁଣା ଷ୍ଟକ୍ କ୍ଲିୟର କରିବା ପାଇଁ ୩ ହଜାରରୁ ୪ ହଜାର ଟଙ୍କାର ପର୍ଯ୍ୟନ୍ତ ସହାୟତା ପ୍ରଦାନ କରୁଛି। ତେବେ ନୂଆ ଷ୍ଟକରେ ନୂଆ ମୂଲ୍ୟର ଷ୍ଟିକର ସାଧାରଣତଃ ଲାଗିଥାଏ। କିନ୍ତୁ ସେଗୁଡ଼ିକରେ ମଧ୍ୟ ପୂର୍ବ ମୂଲ୍ୟର ଷ୍ଟିକର ଲାଗିବ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ସାମସଙ୍ଗ ପକ୍ଷରୁ ‌ମୂଲ୍ୟ ହ୍ରାସ ଯୋଜନା ନାହିଁ ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି। ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆମେ ବିଶ୍ବକପ୍ ପାଇଁ ସ୍ମାର୍ଟ ଟିଭି ବର୍ଗରେ ନୂଆ ମଡେଲ ଆଣିଛୁ ବୋଲି ପ୍ରବକ୍ତା ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତର ଟିଭି ବଜାରର ଆକାର ପ୍ରାୟ ୨୨ ହଜାର କୋଟି ଟଙ୍କା ହୋଇଥିବାବେଳେ ଏହା ବାର୍ଷିକ ୮ରୁ ୧୦ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ତେବେ ଜିଏଫକେ ଟ୍ରାକରର ଆକଳନ ଅନୁଯାୟୀ, ୨୦୧୮ରେ ଭାରତରେ ବିକ୍ରି ହୋଇଥିବା ମୋଟ ଟିଭି ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଟିଭି ଅନଲାଇନରେ ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର