ରାଜ୍ୟରେ ୧୯୦ ଶାଖା ସହ ସେବା ଯୋଗାଇବ ବ୍ୟାଙ୍କ ଅଫ୍‌ ବରୋଦା

ଭୁବନେଶ୍ବର: ଆଜି ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ସହିତ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ହୋଇଛି। ଏଥି ସହିତ ଓଡ଼ିଶାରେ ବିଓବିର ଶାଖା ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଦେନାର ୫୭ଟି ଓ ବିଜୟା ବ୍ୟାଙ୍କର ୫୭ଟି ଶାଖା ଥିଲା ଯାହା ବିଓବି ସହିତ ମିଶିଯାଇଛି। ବର୍ତ୍ତମାନ ଏହି ଦୁଇ ବ୍ୟାଙ୍କର ଶାଖାଗୁଡ଼ିକର ବିଓବିର କାଉଣ୍ଟର୍‌ ଭାବେ ପରିଚାଳିତ ହେବ। ବିଓବିର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ଏନ୍ ବେହେରା କହିଛନ୍ତି ଯେ, ମିଶ୍ରଣ ପରେ ବିଓବିର କାରବାର ପରିମାର ୧୪ ହଜାର କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ରାଜ୍ୟରେ ଆମ ଶାଖା ସଂଖ୍ୟା ୧୯୦ ହୋଇଥିବା ବେଳେ ଆମ ପାଖରେ ୧୦୦ରୁ ଅଧିକ ଏଟିଏମ୍ ରହିଛି। ଏକ ହଜାରରୁ ଅଧିକ କର୍ମଚାରୀ ରାଜ୍ୟରେ ଗ୍ରାହକଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରିବେ ବୋଲି ସେ କହିଛନ୍ତି। ମିଶ୍ରଣ ପୂର୍ବରୁ ଓଡ଼ିଶାରେ ବିଓବିର କାରବାର ପରିମାଣ ୧୧ ହଜାର କୋଟି ଟଙ୍କାରୁ ଅଧିକ ଥିବା ବେଳେ ବିଜୟା ବ୍ୟାଙ୍କର ୨୬୦୦ କୋଟି ଟଙ୍କା ଏବଂ ଦେନା ବ୍ୟାଙ୍କର ୫୭୦ କୋଟି ଟଙ୍କା ଥିଲା ବୋଲି ସେ କହିଛନ୍ତି। ମିଶ୍ରଣ ସଂଘଟିତ ହେବା ପରେ ବିଓବିର ବଜାର ଅଂଶ ବୃଦ୍ଧି ପାଇ ୩.୧୦% ହୋଇଯାଇଛି ଯାହା ପୂର୍ବରୁ ୨.୩୯% ଥିଲା।

ଜାତୀୟ ସ୍ତରରେ ଆଜି ବିଓବିର ଏମ୍‌ଡି ଓ ସିଇଓ ପିଏସ୍‌ ଜୟକୁମାର ସୂଚନା ଦେଇଛନ୍ତି ଯେ, ବିଓବି ଏବେ ହେଉଛି ଦେଶର ଦ୍ବିତୀୟ ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ସମସ୍ତ ତିନି ବ୍ୟାଙ୍କ ପାଖରେ ୮୦-୧୧୦ ବର୍ଷ ଭଳି ଦୀର୍ଘ ଦିନ ଗ୍ରାହକଙ୍କୁ ସେବା ଯୋଗାଇବାର ଅଭିଜ୍ଞତା ରହିଛି। ତେଣୁ ସବୁ ବ୍ୟାଙ୍କର ଭଲ ଦିଗକୁ ଏକତ୍ରୀତ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ଗଠନ କରାଯାଇଛି। ବର୍ତ୍ତମାନ ବିଜୟା ଓ ଦେନା ବ୍ୟାଙ୍କର ଗ୍ରାହକମାନେ ନିଜ ବ୍ୟାଙ୍କ ଖାତା, ପାସ୍ ବୁକ୍, ଚେକ୍ ବୁକ୍, ଏଟିଏମ ଓ କ୍ରେଡିଟ୍ କାର୍ଡକୁ ପୂର୍ବଭଳି ନିଜ ଶାଖାରେ ବ୍ୟବହାର କରିପାରିବେ। ଗ୍ରାହକମାନେ ଏହି ବଡ଼ ବ୍ୟାଙ୍କରୁ ଋଣ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର