ବ୍ରିକ୍ସ ଶିଖର ସମ୍ମିଳନୀ: ଆତଙ୍କବାଦ ପାଇଁ ବିଶ୍ବର ୧ ଲକ୍ଷ କୋଟି ଡଲାର କ୍ଷତି
ନୂଆଦିଲ୍ଲୀ: ବ୍ରାଜିଲ୍ର ବ୍ରାସିଲିଆଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀର ଏକାଦଶ ଶୀର୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଶୀର୍ଷ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଆତଙ୍କବାଦ ଯୋଗୁ ବିଶ୍ବ ଅର୍ଥନୀତିକୁ ୧ ଲକ୍ଷ କୋଟି ଡଲାରର କ୍ଷତି ପହଞ୍ଚିଛି। ବିକାଶ, ଶାନ୍ତି ଏବଂ ସମୃଦ୍ଧି କ୍ଷେତ୍ରରେ ବିଶ୍ବ ଆତଙ୍କବାଦ ଏକ ବଡ଼ ସମସ୍ୟା ବୋଲି ପ୍ରଧାନମନ୍ତ୍ରୀ ଉପସ୍ଥିତ ନେତୃବୃନ୍ଦଙ୍କୁ ସଚେତନ କରାଇ ଦେଇଛନ୍ତି। ସେ କହିଛନ୍ତି, କେତେକ ଆକଳନ ଅନୁଯାୟୀ ଆତଙ୍କବାଦ ଯୋଗୁ ବିକାଶଶୀଳ ଦେଶଗୁଡ଼ିକର ଅର୍ଥନୈତିକ ଅଭିବୃଦ୍ଧି ୧.୫ ପ୍ରତିଶତ ହ୍ରାସ ପାଇଛି। ଏଥିଯୋଗୁ ବିଶ୍ବ ଅର୍ଥନୀତିକୁ ୧ ଲକ୍ଷ କୋଟି ଡଲାରର କ୍ଷତି ପହଞ୍ଚିଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ବ୍ରାଜିଲ, ରୁଷିଆ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ନେତୃବୃନ୍ଦ ଗୁରୁବାର ଏକାଦଶ ବ୍ରିକ୍ସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏଥିସହିତ ବାଣିଜ୍ୟ, ନିବେଶ ଏବଂ ଆତଙ୍କବାଦକୁ ମୁକାବିଲା କରିବା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରିକ୍ସ ବିଜ୍ନେସ୍ ଲିଡର୍ଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେସବୁ ଦେଶର ନିବେଶକମାନଙ୍କୁ ଭାରତରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତର ଅର୍ଥନୀତି ନିବେଶ ପାଇଁ ଉନ୍ମୁକ୍ତ ରହିଛି ଏବଂ ଏଠାରେ ଅସୀମିତ ସମ୍ଭାବନା ଏବଂ ଅଗଣିତ ସୁଯୋଗ ରହିଛି। ଭାରତରେ ରାଜନୈତିକ ସ୍ଥିରତା ରହିଛି। ନୀତି ସମ୍ପର୍କରେ ମଧ୍ୟ ଆକଳନ କରାଯାଇ ପାରୁଛି ଏବଂ ବ୍ୟବସାୟୀଙ୍କୁ ସୁହାଇଲା ଭଳି ସଂସ୍କାର କାର୍ଯ୍ୟ ନିଆଯାଉଛି। ଭାରତକୁ ୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଭିତ୍ତିଭୂମି କ୍ଷେତ୍ରରେ ୧.୫ ନିୟୁତ ଡଲାର ମୂଲ୍ୟର ନିବେଶ ଆବଶ୍ୟକତା ରହିଛି ବୋଲି ମୋଦୀ କହିଛନ୍ତି।