ରାତିଅଧରେ ଭବାନୀ ମଲ୍‌‌ରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ଫିଲକସ୍ ରେସ୍ତୋରାଁରେ ଭାଙ୍ଗି‌ଲେ, ମାଲିକଙ୍କ ପୁଅ ସମେତ ୩ ଆହତ

ଭୁବନେଶ୍ୱର : ରାତିଅଧରେ ଭବାନୀ ମଲ୍‌‌ରେ ଆତଙ୍କରାଜ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ୨୦ରୁ ୨୫ଜଣ ଯୁବକ ବିଏମ୍‌ସି ମଲ୍‌ ଭିତରେ ଥିବା ଏକ ଫିଲକସ୍‌ ରେସ୍ତୋରାଁକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲିକଙ୍କ ପୁଅ ଓ ୨ ଜଣ କର୍ମଚାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଏ ନେଇ ରେସ୍ତୋରାଁ ମାଲିକ ରବୀନ୍ଦ୍ର ଗଡ଼ନାୟକ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ୪ ଜଣ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି।

ସୂଚନାନୁଯାୟୀ, କିଛି ଦିନ ତଳେ ୟୁନିଟ୍‌-୯ ଅଞ୍ଚଳର କିଛି ଯୁବକ ସହିଦନଗର ଥାନା ଅନ୍ତର୍ଗତ ଭବାନୀ ମଲ୍‌ରେ ଥିବା ଏହି ରେସ୍ତୋରାଁକୁ ଖାଇବାକୁ ଆସିଥିଲେ। ତେବେ ସେମାନେ ସେଠାରେ ଅନ୍ୟ ଗ୍ରାହକମାନଙ୍କୁ କମେଣ୍ଟ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ରେସ୍ତୋରାଁର ମାଲିକ ଯୁବକମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ। କିନ୍ତୁ ସେମାନେ ମାଲିକଙ୍କ ସହ ମଧ୍ୟ ବଚସା କରିଥିଲେ। ତେଣୁ ମାଲିକ ସେମାନଙ୍କୁ ରେସ୍ତୋରାଁରୁ ବାହାରିଯିବାକୁ କହିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଗତକାଲି କିଛି ଯୁବକ ରେସ୍ତୋରାଁକୁ ଆସି ମାଲିକଙ୍କୁ ଧମକଚମକ ଦେଇଥିଲେ। ତେବେ ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ହଠାତ୍‌ ୨୦ରୁ ୨୫ ଜଣ ଯୁବକ ହାତରେ ହକିଷ୍ଟିକ୍‌ ଧରି ରେସ୍ତୋରାଁ ଭିତରକୁ ଧସେଇ ପଶିଥିଲେ। ସେମାନେ ସେଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରାଇଥିଲେ। ମାଲିକଙ୍କ ପୁଅ ସୌମେନ୍ଦ୍ର ଓ ଅନ୍ୟ ୨ଜଣ କର୍ମଚାରୀ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ‌ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ସେମାନଙ୍କ କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ତେବେ ଏନେଇ ରେସ୍ତୋରାଁର ମାଲିକ ରବୀନ୍ଦ୍ର ପରେ ବିଧିବଦ୍ଧ ଭାବେ ଥାନାରେ ଅଭିଯୋଗ

କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୪ ସଂଦିଗ୍ଧଙ୍କୁ ରାତି ଅଧିଆ ଉଠାଇ ଆଣି ଥାନାରେ ପଚରାଉଚରା ଚଳାଇଛି। ଅପରପକ୍ଷେ ଏହି ଘଟଣାର ପୂରା ଦୃଶ୍ୟ ‌ରେସ୍ତୋରାଁରେ ଲାଗିଥିବା ସିସିଟିଭି‌ରେ କଏଦ୍‌ ହୋଇଛି। ପୁଲିସ ଫୁଟେଜ୍‌ ସଂଗ୍ରହ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର