ପଞ୍ଜାବ: ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ ହରବିନ୍ଦର ସିଂହଙ୍କୁ ହତ୍ୟା

ଚଣ୍ଡିଗଡ଼: ପଞ୍ଜାବର ଭତିଣ୍ଡା ଠାରେ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ ହରବିନ୍ଦର ସିଂହଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଖୋଜୁଛି। ହରବିନ୍ଦର ସିଂହ ଭତିଣ୍ଡାର କଲାନରୁ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଥିଲେ। ହରବିନ୍ଦରଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରୁଛି। ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲା ପରିଷଦ ନିର୍ବାଚନ ବାତିଲ କରିବାକୁ ଦାବି କରାଯାଇଛି।

କୁହାଯାଉଛି ଯେ, ରବିବାର ୩ ଜଣ ଯୁବକ ୪୦ ବର୍ଷିଅ ହରବିନ୍ଦରଙ୍କୁ ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ଘରେ ପ୍ରବେଶ କରି ହତ୍ୟା କରିଥିଲେ। ପୁଲିସ ମାମଲାର ତଦନ୍ତ ବେଳେ ହରବିନ୍ଦରଙ୍କ ବେଡ ନିକଟରୁ ଏକ ମଦ ବୋତଲ ଜବତ କରିଛି। ମୃତକଙ୍କ ସ୍ତ୍ରୀ ପୁଲିସକୁ କହିଛନ୍ତି, ହରବିନ୍ଦର ରବିବାର ୩ ଜଣ ଲୋକଙ୍କ ସହିତ ବାହାରକୁ କୌଣସି କାମରେ ଯାଇଥିଲେ। ଏମାନେ ସମସ୍ତେ କାରରେ ବିଲମ୍ବିତ ରାତିରେ ଫେରିଥିଲେ। ଚାରି ଜଣ ମଦ ପିଇଥିଲେ।

ସ୍ତ୍ରୀ କହିଛନ୍ତି ୩ ଜଣ ଲୋକ ହରବିନ୍ଦରଙ୍କୁ ଘରେ ଛାଡ଼ି ଚାଲି ଯାଇଥିଲେ। ରାତି ୧୧ଟାରେ ସେମାନେ ପୁଣି ଥରେ ଫେରିଥିଲେ। ସେମାନେ ୪ ଜଣ ଏକାଠି ହୋଇ ମଦ ପିଇଥିଲେ। ସୋମବାର ହରବିନ୍ଦରଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ୩ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଉତ୍ତେଜିତ ଆମ୍‌ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଭତିଣ୍ଡା-ବରନାଲା ଜାତୀୟ ରାଜପଥ ଉପରେ ଧାରଣା ଦେଇଛନ୍ତି। ପ୍ରଦର୍ଶନକାରୀମାନେ ହରବିନ୍ଦରଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ କରା ନ ଯିବ, ସେତେବେଳ ପର୍ଯ୍ୟନ୍ତ ଶବ ସଂସ୍କାର କରାଯିବ ନାହିଁ।

ସମ୍ବନ୍ଧିତ ଖବର