ରାଜଧାନୀରେ ଚାଞ୍ଚଲ୍ୟ : ତନ୍ତ୍ରପୂଜା କରି ଶିଶୁବଳି ଉଦ୍ୟମ!

ଖଣ୍ଡଗିରି : ରାଜଧାନୀରେ ପଡ଼ିଥାଆନ୍ତା ଶିଶୁବଳି। ଗୃହ ମାଲିକ ଘରର ବାସ୍ତୁଦୋଷ ଛଡ଼ାଇବାକୁ ପ୍ଲଟ ଉପରେ ପୂଜାପାଠ କରି ରାତିର ନିଶାର୍ଧରେ ପହରରେ ଶିଶୁବଳି ଦେବାକୁ ବସିଥିଲା। କିନ୍ତୁ ବସ୍ତିର ଲୋକେ ବିଗାଡ଼ି ଦେଲେ। ବଳି ପାଇଁ ଉଦ୍ଦିଷ୍ଟ ପୂଜା ପ୍ରସ୍ତୁତି ବେଳେ ଲୋକେ ଘେରି ଯାଇ ଚଢ଼ଉ କରିଦେବାରୁ ଶିଶୁଟି ବଳି ମୁହଁରୁ ବର୍ତିଗଲା। ମାତ୍ର ତାନ୍ତ୍ରିକ ଶିଶୁକୁ ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଗଲା। ଏଭଳି ଅଭିଯୋଗ କରି ସ୍ଥାନୀୟ ଲୋକେ ଗୃହମାଲିକ ସମତେ ୮ ଜଣଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ଏକ ବଲେରୋରେ ଭର୍ତି ହୋଇଥିବା ପୂଜା ଉପକରଣକୁ ବି ପୁଲିସ ଜବତ କରିଥିଲା। ଗୁରୁବାର ରାତିରେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗର ବସ୍ତିରେ ଘଟିଥିବା ଏଭଳି ଏକ ଘଟଣା ଆଜି ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ପୁଲିସ ଗୃହମାଲିକଙ୍କ ସମେତ ୮ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ମାତ୍ର ପ୍ରାଥମିକ ତଦନ୍ତରୁ ଶିଶୁବଳି ନୁହେଁ, କେବଳ ଏକ ବାସ୍ତୁପୂଜା ପାଇଁ ଆୟୋଜନ ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଶିଶୁକୁ ନେଇ ତାନ୍ତ୍ରିକ ଘଟଣାସ୍ଥଳରୁ ଚମ୍ପଟ ମାରିବା ଲୋକଙ୍କ ଦ୍ୱାରା ପ୍ରଚାରିତ ଏକ ଗୁଜବ ବୋଲି ପୁଲିସ ସୂଚନା ଦେଇଛି।

ବଳି ପାଇଁ ପ୍ରସ୍ତୁତ ହେଉଥିଲା ତାନ୍ତ୍ରିକ: ବସ୍ତିବାସିନ୍ଦା

ପୁଲିସ ପ୍ରାଥମିକ ତଦନ୍ତରୁ ଶିଶୁବଳି ଉଦ୍ୟମର କୌଣସି ପ୍ରମାଣ ପାଇ ନ ଥିଲେ ହେଁ ସ୍ଥାନୀୟ ବସ୍ତିବାସିନ୍ଦା କିନ୍ତୁ ଭିନ୍ନ କଥା କହିଛନ୍ତି। ସେମାନେ ନିଜ ଆଖିରେ ବଳି ଉଦ୍ୟମ ପାଇଁ ତାନ୍ତ୍ରିକ ପ୍ରସ୍ତୁତ ହେଉଥିଲା ବୋଲି ଦର୍ଶାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଗୁରୁବାରର ନିଶାର୍ଧ ରାତି। ସବୁଆଡ଼ ଶୂନ୍‌ଶାନ୍‌। ହଠାତ୍‌ ଡୁମୁଡୁମା ରଘୁନାଥନଗର ବସ୍ତିରେ ରହୁଥିବା ଫଳ ବ୍ୟବସାୟୀ ନିରଂଜନ ସାହୁଙ୍କ ଘର ନିକଟରେ ପହଞ୍ଚିଲା ଏକ ବଲେରୋ। ବଲେରୋରୁ ଓହ୍ଲାଇପଡ଼ିଲେ କିଛି ଲୋକ। ନିରଂଜନଙ୍କ ଅଧାଗଢ଼ା ଘର ଭିତରେ ଖୋଳା ହୋଇଥିବା ଦୁଇଟି ବଡ଼ ବଡ଼ ଗାତ(ପ୍ରାୟ ୧୫ଫୁଟ୍‌ ଗଭୀର) ନିକଟରେ ଚାଲିଲା ତନ୍ତ୍ର ପୂଜାପାଠ ପାଇଁ ପ୍ରସ୍ତୁତି। କିଛି ସମୟ ପରେ ଏକ ବାଇକ୍‌ରେ ଜଣେ ତାନ୍ତ୍ରିକ ଏକ ୮/୯ ବର୍ଷର ବାଳକକୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଳକଟିର ବେକରେ ଫୁଲମାଳ ପଡ଼ିଥିଲା ଓ କପାଳରେ ଲାଗିଥିଲା ଚନ୍ଦନ ଓ ସିନ୍ଦୁର ଟିପା। ମୂକ ହୋଇ ବାଳକଟି ଠିଆ ହୋଇଥିଲା। ବାଳକକୁ ତାନ୍ତ୍ରିକ ସହ ଦେଖି ପୂର୍ବରୁ ଛକି ରହିଥିବା ଲୋକେ ଆଉ ସମ୍ଭାଳି ପାରିଲେ ନାହିଁ। ହଠାତ୍‌ ସମସ୍ତେ ସେମାନଙ୍କୁ ଘେରିଗଲେ। କିନ୍ତୁ ଲୋକଙ୍କ ପାଟିତୁଣ୍ଡ ଶୁଣି ତାନ୍ତ୍ରିକ ବାଳକକୁ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଲା। ଲୋକେ ପିଛା କରି ଗୋଡ଼ାଇଥିଲେ, କିନ୍ତୁ ଆଖି ପିଛୁଳାକେ ତାନ୍ତ୍ରିକ ବାଳକ ସହ ଅନ୍ତର୍ଧାନ୍‌ ହୋଇଗଲା। ଉତ୍ତ୍ୟକ୍ତ ଲୋକେ ଘର ମାଲିକ ନିରଂଜନଙ୍କ ସମେତ ବଲେରୋରେ ଥିବା ଲୋକଙ୍କୁ ଧରି ଖଣ୍ଡଗିରି ଥାନାକୁ ଖବର ଦେଲେ। ପୁଲିସ ସେମାନଙ୍କୁ ଥାନାକୁ ନେଇ ଅଟକ ରଖିଲା। ଲୋକଙ୍କ ଅଭିଯୋଗ ଯେ ତାନ୍ତ୍ରିକକୁ ଗିରଫ କରାଯାଉ। ଯେଉଁ ୮/୯ ବର୍ଷର ବାଳକକୁ ବଳି ପାଇଁ ଅଣାଯାଇଥିଲା, ତାକୁ ଉଦ୍ଧାର କରାଯାଉ।

ବାସ୍ତୁଦୋଷ ଦୂର ପାଇଁ ପୂଜା ହେବାର ଥିଲା: ଗୃହମାଲିକ

ପୁଲିସ ନିକଟରେ ଗୃହ ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ନିରଂଜନ ଦେଇଥିବା ବୟାନ୍‌ ଅନୁସାରେ ସେହି ବସ୍ତିରେ ସେ ରହୁଛନ୍ତି। ତା ପ୍ଲଟକୁ ଲାଗି ରହିଥିବା ଅନ୍ୟ ଏକ ସରକାରୀ ପ୍ଲଟରେ ସେ ଘର କରିବାକୁ ଦୀର୍ଘ ବର୍ଷ ହେବ ନିଅଁ ପକାଇଛନ୍ତି। କିନ୍ତୁ ସେତିକିରୁ ଅର୍ଥାତ୍‌ ନିଅଁ ପତ୍ତନରୁ ଘର ଆଉ ଉପରକୁ ଉଠି ପାରୁନାହିଁ। ତେଣୁ ସେ ତା ଗାଁ ପାଖରୁ ଅର୍ଥାତ୍‌ ପୁରୀ ଜିଲ୍ଲା ଗୋପ ଅଞ୍ଚଳରୁ ଜଣେ ତାନ୍ତ୍ରିକକୁ ଏ ନେଇ ଯୋଗାଯୋଗ କରିଥିଲେ। ସେ ପ୍ଲଟ୍‌ରେ ବାସ୍ତୁଦୋଷ ଓ ପ୍ରେତାତ୍ମା ଦୋଷ ରହିଥିବା କଥା କହି ତନ୍ତ୍ର ପୂଜା କଲେ ସମସ୍ୟା ଦୂର ହେବ ବୋଲି ପରାମର୍ଶ ଦେଇଥିଲା। ତାନ୍ତ୍ରିକ କଥା ଅନୁସାରେ ସେ ଉକ୍ତ ପ୍ଲଟ୍‌ରେ ପୂର୍ବରୁ ଗାତ ଖୋଳିଥିଲେ। ଗୁରୁବାର ନିଶାର୍ଧରେ ପୂଜା ହେବାର ଥିଲା। କିନ୍ତୁ ଲୋକେ ଏହାକୁ ବୁଝିନପାରି ଶିଶୁବଳି ବୋଲି ଅପପ୍ରଚାର କରୁଛନ୍ତି। ବସ୍ତିର କିଛି ଲୋକଙ୍କ ସହ ତା’ର ପୂର୍ବରୁ ବିବାଦ ଥିବାରୁ ସେମାନେ ଏହି ମଉକାରେ ଦାଉ ସାଧୁଛନ୍ତି ବୋଲି ନିରଂଜନ ପୁଲିସକୁ କହିଛନ୍ତି। ବାଳକକୁ ନେଇ ତାନ୍ତ୍ରିକ ଘଟଣାସ୍ଥଳରୁ ପଳାଇବା କଥା ମିଛ ବୋଲି ସେ କହିଛନ୍ତି। ଘଟଣାସ୍ଥଳକୁ ଆଦୌ ତାନ୍ତ୍ରିକ ଆସିନଥିଲା ବୋଲି ସେ କହିଛନ୍ତି। ଲୋକେ ଗଣ୍ଡଗୋଳ କରିବାରୁ ସେ ତାନ୍ତ୍ରିକକୁ ଆସିବାକୁ ମନା କରିଥିଲେ ବୋଲି କହିଛନ୍ତି।

ଅଡ଼ୁଆରେ ପୁଲିସ

ଜବତ ବଲେରୋରୁ ମିଳିଛି ତନ୍ତ୍ର ପୂଜାର ବହୁ ଉପକରଣ। ତନ୍ତ୍ର ବହି, ହୋମ ଉପକରଣ, ଫୁଲ, ସାଲୁ, ସିନ୍ଦୁର, ଭୋଗରାଗ ଓ ଏକ ଔଷଧ ବୋତଲ ଇତ୍ୟାଦି। ତେବେ ଅସ୍ଥି, କଙ୍କାଳ ଓ ଖପୁରୀ ଆଦି ମିଳିବା ଗୁଜବ। ବାସ୍ତୁ ଦୋଷ ପ୍ରତିକାର ପୂଜା ଦିନବେଳା ବି ହୋଇପାରେ। ଏଥିପାଇଁ ତାନ୍ତ୍ରିକର ଆବଶ୍ୟକତା ନଥାଏ। କିନ୍ତୁ ଏଭଳି ନିଶାର୍ଧରେ ତନ୍ତ୍ର ପୂଜା ପଛରେ କିଛି ରହସ୍ୟ ଅଛି ବୋଲି ଲୋକେ କରୁଥିବା ଅଭିଯୋଗ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବସ୍ତିରେ କାହାକୁ କିଛି ନ ଜଣାଇ ନିଶାର୍ଧରେ ଏଭଳି ଲୁଚାଛପାରେ କରାଯାଉଥିବା ପୂଜା ଓ ତାନ୍ତ୍ରିକ ଫେରାର୍‌ ହୋଇଯିବା ଘଟଣା ବେଶ୍‌ ରହସ୍ୟମୟ ବୋଲି କୁହାଯାଉଛି। ପାରିପାର୍ଶ୍ୱିକ ପରିସ୍ଥିତି ସହ ତାଳ ଦେଉଥିବା ବସ୍ତିବାସିନ୍ଦାଙ୍କ ଅଭିଯୋଗକୁ ପୁଲିସ ସହଜରେ ଏଡ଼ାଇ ପାରୁନାହିଁ। ଫଳରେ ଉଭୟ ପୁଲିସ ଓ ଘରମାଲିକ ନିରଂଜନ ପଡ଼ିଛନ୍ତି ଅଡ଼ୁଆରେ। ତେବେ ତଦନ୍ତ ସରିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡଗିରି ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର