ଯୌତୁକ ପାଇଁ ମହିଳାଙ୍କୁ ନିର୍ଯାତନା

ମହିଳା କମିସନ୍‌ଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର: ସବୁଆଡ଼ୁ ନିରାଶ ହେବା ପରେ ଯୌତୁକ ପାଇଁ ନିର୍ଯାତନା ଭୋଗୁଥିବା ଜଣେ ମହିଳା ଆଜି ମହିଳା କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ହେଲେ, ଲାବଣ୍ୟା ପାଢ଼ୀ। ଘର ଗଂଜାମ ଜିଲ୍ଲା ପାରଳାଖେମୁଣ୍ଡି ସଞ୍ଜୟ ଗାନ୍ଧୀ କଲୋନିରେ। ତାଙ୍କ ଅଭିଯୋଗ ହେଲା, ୨୦୦୭ ମସିହାରେ ପାରଳାଖମୁଣ୍ଡି ଦାମୋଦର ବିହାରର ପ୍ରଭାକର ପଣ୍ଡାଙ୍କୁ ସେ ବିବାହ କରିଥିଲେ। ବିବାହ ବେଳେ ତାଙ୍କ ବାପା ଗଣେଶ ପାଢ଼ୀ ବରଘର ଦାବି ମୁତାବକ ସବୁ ଜିନିଷପତ୍ର ସହ ଯୌତୁକ ବାବଦକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ବିବାହର କିଛି ଦିନ ପରେ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ଶାଶୂଘର ଲୋକେ ତାଙ୍କ ଉପରେ ଚାପ ପକାଇଥିଲେ। ଏଥିରେ ଲାବଣ୍ୟା ରାଜି ନ ହେବାରୁ ତାଙ୍କୁ ବିଭିନ୍ନ ସମୟରେ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ସ୍ୱାମୀ ତାଙ୍କୁ ବାରମ୍ବାର ମାଡ଼ ମାରି ବାପ ଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଲାବଣ୍ୟା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଶାଶୂଘର ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଲାବଣ୍ୟାଙ୍କୁ ଓଲଟି ଧମକ ଚମକ ଦେଇଥିଲା। ତେଣୁ ସବୁଆଡ଼ୁ ନିରାଶ ହେବା ପରେ ଲାବଣ୍ୟା ଆଜି ଭୁବନେଶ୍ୱରସ୍ଥିତ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର