ଗୁଜୁରାଟ ଦଙ୍ଗା: ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଧନ୍ୟବାଦ ଜଣାଇଲେ ପୀଡ଼ିତା ବାନୋ

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଅଦାଲତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୀଡ଼ିତା ବାନୋ। ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ବାନୋଙ୍କୁ କ୍ଷତିପୂରଣ ଭାବେ ୫୦ ଲକ୍ଷ ଟଙ୍କା ସହ ଏକ ଚାକିରି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଶୁଣାଣି ହେବା ପରେ ବାନୋ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି।

ସେ ଗଣାମାଧ୍ୟମରେ କହିଛନ୍ତି କି, ‘ମୁଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଏହି ୧୭ ବର୍ଷ ମୋ ପାଇଁ ଖୁବ୍‌ ଯନ୍ତ୍ରଣାଦାୟକ ଥିଲା।’ ଜାଣିରଖନ୍ତୁ ଯେ, ପୂର୍ବରୁ ବାନୋଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ଭାବେ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର ବାନୋ ୫ ଲକ୍ଷ ଟଙ୍କା ନେବାକୁ ମନା କରି ଦେଇଥିଲେ।

Muslim Mirror

ଉଲ୍ଲେଖଯୋଗ୍ୟ, ୨୦୦୨ ମସିହା ଗୁଜୁରାଟ ଦଙ୍ଗାରେ ୧୧ ଜଣ ମିଶି ବିଲ୍‌କିସ୍‌ ବାନୋ ସହ ଦୁଷ୍କର୍ମ କରିଥିଲେ। ସେ ସମୟରେ ବିଲ୍‌କିସ୍‌ଙ୍କୁ ୧୯ ବର୍ଷ ବୟସ ହୋଇଥିଲା। ଗଣଦୁଷ୍କର୍ମ ପରେ ସେ ଗର୍ଭବତୀ ହୋଇଥିଲେ। ବାନୋଙ୍କ ୩ ବର୍ଷିଅ ଶିଶୁ ସମେତ ପରିବାରର ୧୪ ଜଣ ସଦସ୍ୟଙ୍କ ଜୀବନ ସେହି ଦଙ୍ଗାରେ ଚାଲି ଯାଇଥିଲା।

ଏହି ମାମଲାର ବିଚାର କରି ନିକଟରେ ବମ୍ବେ ହାଇକୋର୍ଟ ଜଣେ ଆଇପିଏସ୍‌ ଅଧିକାରୀଙ୍କ ସମେତ ୪ ଜଣ ପୁଲିସ୍‌ଙ୍କୁ ଦୋଷୀ ଘୋଷଣା କରିଥିଲେ। ବାନୋଙ୍କ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ କରୁନଥିବା ହେତୁ ବମ୍ବେ ହାଇକୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ୫ ପୁଲିସ୍‌ କର୍ମୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର