୨୦୦୨ ଗୁଜରାଟ ଦଙ୍ଗା ମାମଲା : ଶୁଣାଣି ଜାନୁଆରି ତୃତୀୟ ସପ୍ତାହକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମ୍‌କୋର୍ଟ ଦ୍ୱାରା ନିଯୁକ୍ତ ସ୍ପେସାଲ୍‌ ଇନଭେଷ୍ଟିଗେସନ୍‌ ଟିମ୍‌ (ଏସଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁର୍ନବିଚାର ଲାଗି ହୋଇଥବବା ଆବେଦନର ଶୁଣାଣିକୁ ସର୍ବୋଚ୍ଚ ଅଦାଲତ ଜାନୁଆରି ମାସର ତୃତୀୟ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି।

ଏହି ଆବେଦନ କଂଗ୍ରେସର ପୂର୍ବତନ ସାଂସଦ ଏହସାନ ଜାଫରିଙ୍କ ପତ୍ନୀ ଜାକିଆ ଜାଫରି କରିଥିଲେ। ଜାଚିକାରେ ୨୦୦୨ରେ ଗୁଜୁରାଟରେ ହୋଇଥିବା ବଡ଼ ଧରଣର ଦଙ୍ଗାରେ ତତ୍‌କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ରାଜନେତାଙ୍କ ସଂପୃକ୍ତି ଥିଲେ ହେଁ ଏସଆଇଟି ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି । ସୁପ୍ରିମକୋର୍ଟ ଏହାର ସମୀକ୍ଷା କରିବାକୁ ଆବେଦନରେ ଦର୍ଶାଯାଇଛି।

ଏସ୍‌ଆଇଟି ୨୦୧୨ ଫ୍ରେବୁଆରିରେ ନିଜ ରିପୋର୍ଟରେ ନରେନ୍ଦ୍ର ମୋଦିଙ୍କ ସମେତ ୫୯ ଲୋକଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଏସ୍‌ଆଇଟି ପକ୍ଷରୁ ଆହୁରି କୁହାଯାଇଥିଲା ଯେ ଏମାନଙ୍କ ବିରୋଧରେ ମୋକଦ୍ଦମା ଚଳାଇବାର କୌଣସି କାରଣ ନାହିଁ।

ଏଣୁ ନିମ୍ନ ଅଦାଲତ ଏସ୍‌ଆଇଟି ରିପୋର୍ଟ ମୁତାବକ ଅଭିଯୁକ୍ତମାନଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରିଥିଲେ। ପରେ ଗୁଜୁରାଟ ହାଇକୋର୍ଟ ଏ ନେଇ ନିଜର ରାୟ କାଏମ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ଦଙ୍ଗା ହେତୁ ଅହମ୍ମଦାବାଦ୍‌ର ବୁଲବର୍ଗ ସୋସାଇଟିରେ ହୋଇଥିବା ହିଂସାରେ ଏହସାନ ଜାଫରିଙ୍କ ସମେତ ୬୮ ଲୋକ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର