ଅନର୍‌ କିଲିଙ୍ଗ୍‌: ଅଦାଲତରୁ ଫେରିବା ବାଟରେ ୧୮ ବର୍ଷୀୟ ଝିଅକୁ ଓ ତାଙ୍କୁ ନେଇ ଆସୁଥିବା ପୁଲିସକୁ ଗୁଳି ମାରି ହତ୍ୟା

ରୋହତକ: ବୁଧବାର ଦିନ ହରିୟାରଣର ରୋହତକରେ ଜଣେ ୧୮ ବର୍ଷୀୟ ଝିଅ ଓ ତାଙ୍କୁ ଏସ୍‌କର୍ଟ କରୁଥିବା ଜଣେ ପୁଲିସକୁ ତିନି ବାଇକ୍‌ ଆରୋହୀ ଅଜ୍ଞାତ ଆତତାୟୀ ଗୁଳିମାରି ହତ୍ୟା କରିଛନ୍ତି। ମାମଲାଟି ଅନର୍‌ କିଲିଙ୍ଗ୍‌ ବୋଲି ସନ୍ଦେହ କରାଯାଉଛି।

ଝିଅର ଜନ୍ମ ଏବଂ ବିବାହ ସମୟ ସଂକ୍ରାନ୍ତରେ ଶୁଣାଣି ପାଇଁ ସବ୍‌-ଇନ୍‌ସ୍‌ପେକ୍ଟର୍‌ ନରେନ୍ଦ୍ର କୁମାର ଏବଂ ଜଣେ ମହିଳା କନେଷ୍ଟବଳ ଝିଅଟିକୁ ଏସ୍‌କର୍ଟ କରି ରୋହତକ ଅଦାଲତରେ ପହଞ୍ଚିବା ପରେ ଘଟଣାଟି ଘଟିଥିଲା।

ସେଠାରୁ ଫେରିବା ପରେ ତିନି ଜଣ ଅଜ୍ଞାତ ଦୁର୍ବୃତ୍ତ ସେ ଝିଅ ଓ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ଥିଲେ। ମହିଳା କନେଷ୍ଟବଳ ଜଣକ ଅକ୍ଷତ ଅବସ୍ଥାରେ ଖସି ଯିବାକୁ ସମର୍ଥା ହୋଇଛନ୍ତି।

ରୋହତକ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜଶନଦୀପ ସିଂହ ରାନ୍ଧଓ୍ଵା କହନ୍ତି: ସେମାନଙ୍କ ପସନ୍ଦ ବିରୋଧରେ ବିବାହ କରିଥିବାରୁ ଝିଅର ପିତାମାତା ତା’ ବିରୋଧ ମାମଲା ରୁଜୁ କରିଥିଲେ। ସେଥିପାଇଁ ଝିଅଟିକୁ ଅଦାଲତରେ ହାଜର କରାଯାଇଥିଲା। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।

ରାନ୍ଧଓ୍ଵା ପୁଣି କହିଛନ୍ତି ଯେ ଆତତାୟୀଙ୍କୁ ଚିହ୍ନିବାରେ ଝିଅଟିର ଶାଶୂ କିଛି ସୂଚନା ଦେଇଛନ୍ତି।

ପୀଡ଼ିତା ଜାଟ୍‌ ସମ୍ପ୍ରଦାୟର। ତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ସେ ଜଣେ ଦଳିତ ପିଲା ସହ ପଳାଇ ଯାଇଥିଲେ। ରୋହତକ ସିଟି ଥାନାରେ ଝିଅର ବାପା ସେ ପୁଅ ବିରୋଧରେ ଅଭିଯୋଗ ଦାଏର୍‌ କରିଥିଲେ।

ପଚରା ଉଚୁରା ପରେ ଜଣାପଡ଼ିଥିଲା କି, ଝିଅ ପ୍ରାପ୍ତ ବୟସ୍କା ବୋଲି ପୁଲିସକୁ ପୁଅଟି ଜାଲ୍‌ ଦଲିଲ୍‌ ପତ୍ର ଦେଇଥିଲା ଏବଂ ଦୁହେଁ ବିବାହ କରିଥିଲେ। କିନ୍ତୁ, ପୀଡ଼ିତାଙ୍କ ପରିବାର ଅସଲି ସାର୍ଟିଫିକେଟ୍‌ ଦାଖଲ କରି ବିବାହ ସମୟରେ ଝିଅ ନାବାଳିକା ବୋଲି ଦର୍ଶାଇଥିଲେ। ଏଥିଯୋଗୁଁ ପୁଅଟିକୁ ଜାଲିଆତି ଅଭିଯୋଗରେ ଗିରଫ କରି ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଝିଅକୁ ନିଜ ପିତାମାତାଙ୍କ ଘରକୁ ଫେରିଯିବାକୁ କୁହାଯାଇଥିଲେ ବି ସେ ମନା କରି ଦେଇଥିଲା। ପରେ ତାଙ୍କୁ କର୍ଣ୍ଣଲ୍‌ସ୍ଥିତ ନାରୀ ନିକେତନକୁ ପଠାଇ ଦିଆଯାଇଥିଲା।

ଏ ପର୍ଯ୍ୟନ୍ତ ଗୁଳିକାଣ୍ଡ ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧିତ ଖବର