ଅନର କିଲିଂ : ଅସୁସ୍ଥ ମା’କୁ ଦେଖିବାକୁ ଡ଼ାକି ଝିଅକୁ ହତ୍ୟା କଲେ ପରିବାର ଲୋକେ

ବର୍‌ଓ୍ଵାନି : ମଧ୍ୟପ୍ରଦେଶର ବର୍‌ଓ୍ଵାନୀରେ ପରିବାର ଲୋକେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ମା’କୁ ଦେଖିବାକୁ ଆସିବା ପାଇଁ କହି ଝିଅ ଘରକୁ ଆସିବା ପରେ ପରିବାର ଲୋକେ ମିଶି ତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ପୀଡ଼ିତା ଜଣଙ୍କ ଅନ୍ୟ ସଂପ୍ରଦାୟର ପୁଅକୁ ଭଲ ପାଇବା ସହ ଘରର ବିପକ୍ଷରେ ଯାଇ ତାକୁ ବିବାହ କରିଥିବାରୁ ଏହି ହତ୍ୟା କରାଯାଇଥିବା ପୁଲିସ ସୂଚନା ଦେଇଛି । ଏ ନେଇ ପୁଲିସ ମୃତ ମହିଳାଙ୍କ ବାପାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ମା’ ଏବଂ ଭାଇ ଫେରାର ଥିବା ଜଣା ପଡ଼ିଛି ।

ABC7 Chicago

ସୂଚନା ମୂତାବକ, ସର୍‌ଲା ମଲ୍ଲୀ ବର୍ଷେ ପୂର୍ବେ ଘରର ବିରୋଧରେ ଯାଇ ଅନ୍ୟ ସଂପ୍ରଦାୟର ଯୁବକ ପଙ୍କଜ ମଲ୍ଲୀଙ୍କୁ ବିବାହ କରିଥିଲେ । ସର୍‌ଲାଙ୍କ ବିବାହକୁ ବର୍ଷେ ପୂରି ଯାଇଥିଲେ ମଧ୍ୟ ପରିବାର ଲୋକେ ତାଙ୍କୁ କ୍ଷମା କରି ପାରି ନଥିଲେ । ଏଥି ପାଇଁ ସର୍‌ଲାଙ୍କ ଭାଇ ଗତ ରାତିରେ ମା’ଙ୍କ ଦେହ ଖରାପ ଅଛି କହି ସର୍‌ଲାଙ୍କ ଘରକୁ ନେଇ ଆସିଥିଲେ । ଘରେ ପହଞ୍ଚିବା ପରେ ଆଜି ସକାଳେ ବିବାହ କଥାକୁ ନେଇ ଝଗଡ଼ା ହୋଇଥିବା ବେଳେ ପରିବାର ଲୋକେ ଏକ ଧାରୁଆ ଅସ୍ତ୍ରରେ ସର୍‌ଲାଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟ ପକ୍ଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ବାପା ଦେବୀଦାସ କୋଲି(୫୫)ଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ମା’ ଏବଂ ଭାଇଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର