ଗର୍ଲଫ୍ରେଣ୍ଡ୍‌ ସହ ଲାଇଭ୍‌ ଭିଡିଓ ଚାଟ୍‌ କରି ଆତ୍ମହତ୍ୟା କଲେ ଦ୍ୱାଦଶ ଶ୍ରେଣୀର ଛାତ୍ର

କୋଲ୍‌କାତା: ଗର୍ଲଫ୍ରେଣ୍ଡ୍‌ ସହ ଲାଇଭ୍‌ ଭିଡିଓ ଚାଟ୍‌ କରି ବୁଧବାର ମଧ୍ୟରାତ୍ରୀରେ ଜଣେ ଦ୍ୱାଦଶ ଶ୍ରେଣୀର ବାଳକ ଆତ୍ମହତ୍ୟା କରିଛନ୍ତି। ମୃତ ବାଳକଙ୍କ ମାଆ ସେ ଝିଅ ନାଁ’ରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ବାରୁଇପୁରବାସିନୀ ସେ ବାଳକଙ୍କ ମାଆଙ୍କ କହିବା କଥା, ପୁଅ କାହା ସହ ଫୋନ୍‌ରେ କଜିଆ କଲାଭଳି କଥାବାର୍ତ୍ତା କରୁଥିଲା। ମୁଁ ରାତି ୧୨ଟାରେ ଶୋଇବାକୁ ଗଲି। ଘଣ୍ଟାଏ ତା’ର କେତେଜଣ ସାଙ୍ଗ ଝଡ଼ ବେଗରେ ଆସି ବାତୁଳ ପ୍ରାୟ କବାଟ ପିଟିଲେ। ମୁଁ କବାଟ ଖୋଲିଲା ମାତ୍ରେ ସେମାନଙ୍କ ମଧ୍ୟରୁ ଜଣେ କହିଲା କି, ତୁମ ପୁଅ ତା’ କୋଠରିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି।

ସେ ପୁଅ କୋଠରିକୁ ଧାଇଁ ଯାଇ ଦେଖିଲେ ପୁଅ ସିଲିଂ ଫ୍ୟାନ୍‌ରେ ଝୁଲିଛି। ପୁଅ ଆତ୍ମହତ୍ୟା କରୁଛି ବୋଲି ସେ ଝିଅଟି ହିଁ ପୁଅର ସାଙ୍ଗମାନଙ୍କୁ ଡାକି କହିଥିବା କଥା ମାଆ ଜାଣିଲେ। ଗୁରୁବାର ଛାଇଲେଉଟା ବେଳେ ପୀଡ଼ିତଙ୍କ ମାଆ ଥାନାକୁ ଯାଇ ସେ ଝିଅ ନାଁ’ରେ ଅଭିଯୋଗ କରିଥିଲେ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁଇଚ୍‌ଡ୍‌ ଅଫ୍‌ ହୋଇଥିବା ସେ ଫୋନ୍‌ଟିକୁ ଉଦ୍ଧାର କରିଛି। ଫୋନ୍‌ର ଫରେନ୍‌ସିକ୍‌ ଯାଞ୍ଚ ହେବ। ଭିଡିଓ ଯାଞ୍ଚ କରି ସତ୍ୟ ଉନ୍ମୋଚନ କରାଯିବାକୁ ଚେଷ୍ଟା କରାଯିବ। ଫୋନ୍‌ଟି ହିଁ ବାଳକର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ବୋଲି କହିଛନ୍ତି ବାରୁଇପୁର ଜିଲ୍ଲା ପୁଲିସ ଅତିରିକ୍ତ ଏସ୍‌ପି ଶୈକତ ଘୋଷ।

ସାଙ୍ଗମାନଙ୍କ ସହ ପୁଅ ଭିଡିଓ ଚାଟ୍‌ କରେ ବୋଲି ମାଆ ଜାଣିଥିଲେ। ସେ ଝିଅ ସହ ପୁଅର ସ୍ନେହ ସମ୍ପର୍କ ଥିଲା ଏବଂ କଟି ଯାଇଥିଲା ବୋଲି ମଧ୍ୟ ସେ ଜାଣିଥିଲେ। କିନ୍ତୁ, ପୁଣି କେବେ ସମ୍ପର୍କ ଯୋଡ଼ି ହେଲା, ତାହା ସେ ଜାଣି ନ ଥିଲେ।

ମୃତ ପୁଅର ବନ୍ଧୁ କହନ୍ତି ଯେ ପାଟିତୁଣ୍ଡ ଲାଗି ଦୁହେଁ ସମ୍ପର୍କ କଟାକଟି ହୋଇଥିଲେ। ମୁଁ ବାଧ୍ୟ କରିବାରୁ ଉଭୟ ପୁଣି ସମ୍ପର୍କ ଯୋଡ଼ିଥିଲେ। କିନ୍ତୁ କିଛି ଦିନ ହେବ ସେ ଆମ ସହ କଥାବାର୍ତ୍ତା କରୁ ନ ଥିଲା କି, ଫୁଟ୍‌ବଲ୍‌ ଖେଳିବାକୁ ଆସୁ ନ ଥିଲା।

ରାତି ପ୍ରାୟ ଗୋଟାଏ ବେଳେ ମୁଁ ସେ ଝିଅ ଠାରୁ ଫୋନ୍‌ ପାଇ ଟିକେ ଆଚମ୍ବିତ ହୋଇଗଲି। ସେ ଏଡ଼େ ଛାନିଆ ହୋଇ ଯାଇଥିଲା ଯେ ସେ କ’ଣ କହୁଥିଲା କିଛି ବୁଝି ପାରୁ ନ ଥିଲି। ସେ କ୍ୟାମେରା ସମ୍ମୁଖରେ ଆତ୍ମହତ୍ୟା କରିଛି ଶୁଣି ମୁଁ ଦୁଃଖରେ ଭାଙ୍ଗି ପଡ଼ିଲି। ତାକୁ ବଞ୍ଚାଇବା ଆଶାରେ ମୁଁ ତାଙ୍କ ଘରକୁ ଧାଇଁ ଗଲି। କିନ୍ତୁ, ସେତେବେଳକୁ ସବୁ ସରି ଯାଇଥିଲା।

ସମ୍ବନ୍ଧିତ ଖବର