ପୁଣି ଗିରଫ ହେଲା ଜମ୍ବୁଦୀପର ସମ୍ରାଟ : ଚୋରା ସୁନାଚେନ୍‌, ଆଇଫୋନ୍‌ ଜବତ

ଖଣ୍ଡଗିରି : ସ୍ଥାନୀୟ ଭରତପୁର ଅଞ୍ଚଳର କୁଖ୍ୟାତ ଲୁଟେରା ତଥା ସିନ୍ଧିଚୋର ସମ୍ରାଟ ଦାସ ପୁଣି ଗିରଫ ହୋଇଛି। ଖଣ୍ଡଗିରି ଥାନା ପୁଲିସ ତା’ ନିକଟରୁ ଏକ ଚୋରା ସୁନାଚେନ୍‌ ଓ ଆଇଫୋନ୍‌ ଜବତ କରିଛି। ଏହି ସୁନାଚେନ୍‌ ଓ ଆଇଫୋନ୍‌ଟି ସମ୍ରାଟ୍‌ ଗତ ଡିସେମ୍ବର ମାସରେ ଚୋରି କରି ଫେରାର୍‌ ହୋଇଯାଇଥିଲା। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଆଜି ସମ୍ରାଟ ଓ ତା’ର ସହଯୋଗୀ ଭରତପୁର ମଝିସାହିରେ ରହୁଥିବା ଗଞ୍ଜାମ ବେଲଗୁଣ୍ଠାର ପ୍ରଶାନ୍ତ ପ୍ରଧାନ ଓରଫ୍‌ ବୁବୁକୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ଡିସେମ୍ବର ୧୨ ତାରିଖ ରାତିରେ କଳିଙ୍ଗନଗର କେ-୮ ଅଞ୍ଚଳରେ ରହୁଥିବା ଶିଲା ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା। ଘଟଣା ଦିନ କେହି ଦୁର୍ବୃତ୍ତ ତାଙ୍କ ଘରର ତାଲା କାଟି ଭିତରେ ପଶିବା ସହ ଶୋଇବା ଘରେ ଥିବା ଆଲମିରା ଭାଙ୍ଗି ସେଥିରୁ ଗୋଟିଏ ଲକେଟ୍‌ ଯୁକ୍ତ ସୁନାଚେନ୍‌, ୧୧ ହଜାର ଟଙ୍କା ଓ ଗୋଟିଏ ଆଇଫୋନ୍‌ ଲୁଟି ନେଇଥିଲା। ଲୁଟ୍‌ ତରିକାରୁ ଏହା ସମ୍ରାଟ୍‌ର କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। କିନ୍ତୁ ସମ୍ରାଟ୍‌ ଫେରାର୍‌ ହୋଇ ଯାଇଥିବାରୁ ତାକୁ ଗିରଫ କରିବା ସମ୍ଭବ ହୋଇନଥିଲା। କାରଣ କେନ୍ଦ୍ରାପଡ଼ା ଜମ୍ବୁଦୀପର ମୂଳବାସିନ୍ଦା ସମ୍ରାଟ୍‌ ଭରତପୁର ହନୁମାନ ବସ୍ତିରେ ରହେ ଓ ଲୁଟ୍‌ପାଟ୍‌ କରିବା ପରେ ଜମ୍ବୁଦୀପକୁ ଲୁଚିବା ପାଇଁ ପଳାଇଯାଏ। ତେବେ ପୁଲିସ ଜାଣିଥିଲା ସମ୍ରାଟ୍‌ ପୁଣି ଫେରିବ ଓ ସେଥିପାଇଁ ପୁଲିସ ଜାଲ ବିଛାଇ ବସିଥିଲା। ୪ ମାସ ବିତିବା ପରେ ସମ୍ରାଟ୍‌ ପୁଣି ଭରତପୁର ଫେରିଥିଲା। ଗତକାଲି ସେ ଓ ବୁବୁ ଶ୍ରୀମତୀ ପଟ୍ଟନାୟକଙ୍କ ଆଇଫୋନ୍‌କୁ କଳିଙ୍ଗଷ୍ଟୁଡିଓ ଛକରେ ଜଣେ ବ୍ୟକ୍ତିଙ୍କୁ ବିକିବାକୁ ବସିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ଚଢ଼ଉ କରି ସମ୍ରାଟ ଓ ବୁବୁକୁ କାବୁ କରିବା ସହ ଆଇଫୋନ୍‌କୁ ଜବତ କରିଥିଲା। ଏହା ପରେ ସମ୍ରାଟ୍‌ ପାଖରେ ରଖିଥିବା ସୁନାଚେନ୍‌ ଓ ଲକେଟ୍‌କୁ ମଧ୍ୟ ପୁଲିସ ଜବତ କରିବାରେ ସକ୍ଷମ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସମ୍ରାଟ ଲୁଟପାଟ୍‌ ଅଭିଯୋଗରେ ଅନେକଥର ଗିରଫ ହୋଇ ଜେଲ୍‌ ଯାଇଛି।

ସମ୍ବନ୍ଧିତ ଖବର