ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ା ଗିରଫ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀର ମୁଖ୍ୟ ସହଯୋଗୀ ତଥା ଡାହାଣ ହାତ ବାପୁ ପରିଡ଼ାକୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ହେବା ପରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ପୁଲିସ ବାପୁଙ୍କୁ ଜେରା କରିଛି। ପୁଲିସ ଜେରା କରିବା ପରେ ବାପୁ ନାଁରେ ଭାରତୀୟ ଦଣ୍ଡ ସଂହିତା ଦଫା ୩୮୭, ୫୦୬ ଓ ୧୨୦(ବି), ୩୪, ୨୫ ଓ ୨୭ ଲଗାଇଛି। ବାପୁ ନାଁରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ବ୍ୟବହାର କରିବା ଅଭିଯୋଗ ହୋଇଛି। ସେହିଭଳି ବାପୁ ନାଁରେ ବହୁତ ଦାଦାବଟି ଆଦାୟ ଅଭିଯୋଗ ଆସିଥିବା ବେଳେ ବିଭିନ୍ନ ଥାନାରେ ୨୮ଟି ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି।

ଡମ୍ପର ଆସୋସିଏସନର ସଭାପତି ବାପୁ ପରିଡ଼ା ନାଁରେ ବିଭିନ୍ନ ଥାନାରେ ହତ୍ୟା, ଅପହରଣ ଓ ଦାଦାବଟି ନେଇ ଅଭିଯୋଗ ଥିଲା। ବାପୁ ପରିଡ଼ା ଏକ ହତ୍ୟା ମାମଲାରେ ସଂପୃକ୍ତ ହୋଇ ପୂର୍ବରୁ ଜେଲ ଯାଇଥିଲା। ଦୀର୍ଘ ୪-୫ ବର୍ଷ ଜେଲରେ ରହିବା ପରେ ଜାମିନରେ ଆସିଥିଲା। ଟିଟୋ ଲିଙ୍କରେ ସଂପୃକ୍ତ ଥିବା ସନ୍ଦେହରେ ଏସଟିଏଫ ପୁଲିସ ବାପୁକୁ ପୂର୍ବରୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା ଓ ପରେ ଛାଡ଼ି ଦେଇଥିଲା। ସନ୍ଦେହ ମଜବୁତ ହେବା ପୁଲିସ ବାପୁ ପରିଡ଼ାକୁ ଗିରଫ କରିଛି।

ସମ୍ବନ୍ଧିତ ଖବର