ର‍୍ୟାଗିଂ କରିବା ମହଙ୍ଗା ପଡ଼ିଲା; କଲେଜରୁ ବହିଷ୍କାର ହେଲେ ୪ ଏମ୍‌ବିବିଏସ୍‌ ଛାତ୍ର

ସିମ୍‌ଲା: ସିମ୍‌ଲାରେ ଥିବା ଇନ୍ଦିରା ଗାନ୍ଧୀ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ(ଆଇଜିଏମ୍‌ସି) ୪ ଜଣ ସିନିୟର୍‌ ଡାକ୍ତରୀ ଛାତ୍ରଙ୍କୁ ଶନିବାର ଜଣେ ପ୍ରଥମ ବର୍ଷ ଛାତ୍ରକୁ ର‍୍ୟାଗିଂ କରିଥିବା ଅଭିଯୋଗରେ କଲେଜ୍‌ରୁ ବହିଷ୍କାର କରାଯିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଫ୍ରେସର୍‌ ପାର୍ଟିରେ ଜଣେ ଜୁନିୟର୍‌ ଛାତ୍ରଙ୍କୁ ର‍୍ୟାଗିଂ କରିବା ପରେ କଲେଜର ଆଣ୍ଟି ର‍୍ୟାଗିଂ କମିଟି ୪ ଅଭିଯୁକ୍ତ ସିନିୟର୍‌ ଏମ୍‌ବିବିଏସ୍‌ ଛାତ୍ରଙ୍କ ବିରୋଧରେ ପ୍ରାଥମିକ ତଦନ୍ତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ର‍୍ୟାଗିଂର ଶିକାର ହେବା ପରେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷ ଛାତ୍ର ଜଣକ ଇ-ମେଲ୍‌ ଜରିଆରେ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଆଣ୍ଟି ର‍୍ୟାଗିଂ କମିଟିରେ ଏକ ଅଭିଯୋଗ ଆଣିଥିଲେ। ଅକ୍ଟୋବର ୨୯ ତାରିଖରେ ହୋଇଥିବା ଫ୍ରେସର୍‌ ପାର୍ଟିରେ ସେ ୪ ଜଣ ସିନିୟରଙ୍କ ଦ୍ୱାରା ର‍୍ୟାଗିଂର ଶିକାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ।

ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଛାତ୍ରଙ୍କ ଦ୍ୱାରା ହୋଇଥିବା ଏହି ଅଭିଯୋଗ ସଂପର୍କରେ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ସୂଚୀତ କରିଥିଲେ। ପ୍ରିନ୍ସିପାଲ୍‌ଙ୍କ ଦ୍ୱାରା ଗଠିତ କଲେଜର ଆଣ୍ଟି ର‍୍ୟାଗିଂ କମିଟି ଏହି ଘଟଣାର ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର