ଖଣ୍ଡଗିରି: ଗତ ମାସରେ ସ୍ଥାନୀୟ ସରକନ୍ତରା ଗାଁରେ ଘଟିଥିବା ଗାଡ଼ି ପୋଡ଼ି ମାମଲାରେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ସରକନ୍ତରା ହାଟସାହିର ଭରତ ସାହୁ ଓରଫ୍ ବାପି(୨୭)କୁ ଗିରଫ କରିଛି। ୨୦୧୪ର ବହୁ ଚର୍ଚ୍ଚିତ ସୋନୁ ପରିଜା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାପି ନାଁରେ ଖଣ୍ଡଗିରି ଥାନାରେ ବହୁ ମାମଲା ରହିଛି। ୩ ବର୍ଷ ଜେଲ୍ରେ ରହିବା ପରେ ଏବେ ସେ ଜାମିନ୍ରେ ଆସି ପୁଣି ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବା ପୁଲିସ ସୂଚନା ଦେଇଛି। ଖୋର୍ଧା ତାପଙ୍ଗ ଅଞ୍ଚଳରେ ଚୋରା ପଥର ଖଣି ବେପାର କରୁଥିବା ବାପି ରାଜଧାନୀକୁ ବୋମା ଯୋଗାଣ କରୁଥିବା ଭଳି କାଣ୍ଡରେ ମଧ୍ୟ ଜଡ଼ିତ ଥିବା ପୁଲିସ କହିଛି। ସୂଚନାନୁସାରେ ଗତ ମାସ ୨୯ ତାରିଖ ରାତିରେ ସରକନ୍ତରା ଗାଁ ମେଳଣ ପଡ଼ିଆରେ ମେଲୋଡି ଚାଲିଥିଲା। ସେହି ଗାଁର ସନ୍ତୋଷ ସାହୁ ଓ କାଳିଆ ପ୍ରଧାନ ମେଲୋଡି ଦେଖିବାକୁ ଯାଉଥିବାବେଳେ ଦାଣ୍ଡରେ ପ୍ରଶାନ୍ତ ଖୁଣ୍ଟିଆଙ୍କୁ ଦେଖି ମଦ ପିଇବାକୁ ଡାକିଥିଲେ। କିନ୍ତୁ ପ୍ରଶାନ୍ତ ମନା କରିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି ଯାଏଁ କଥା ଯାଇଥିଲା। ସନ୍ତୋଷ ଓ କାଳିଆ ମିଳିତଭାବେ ପ୍ରଶାନ୍ତଙ୍କୁ ମାଡ଼ ମାରିବା ସହ ବାପିକୁ ଲଗାଇ ଧମକ ଦେଇଥିଲେ। ସେହି ଦିନ ରାତିରେ ପ୍ରଶାନ୍ତଙ୍କ ଦୁଇଟି ଗାଡ଼ି(ଓଡି୩୩ଆର୍-୭୩୨୮, ଓଡି୦୨ୟୁ-୭୬୨୫)କୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିଲେ। ପରଦିନ ସକାଳେ ଗାଡ଼ି ପୋଡ଼ି ଓ ପୂର୍ବ ରାତିରେ ପ୍ରଶାନ୍ତଙ୍କୁ ହୋଇଥିବା ଆକ୍ରମଣକୁ ନେଇ ଗାଁରେ ଗଣ୍ଡଗୋଳ ଘଟିଥିଲା। ପରେ ପ୍ରଶାନ୍ତଙ୍କ ସ୍ତ୍ରୀ ରୀତାଞ୍ଜଳି ଗାଡ଼ିପୋଡ଼ି ଓ ତାଙ୍କ ସ୍ବାମୀଙ୍କୁ ଦିଆଯାଇଥିବା ଧମକକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ କାଳିଆ ଓ ସନ୍ତୋଷ ଫେରାର୍ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେଲା ଡୁମୁଡୁମା ହାଉସିଂ ବୋର୍ଡ କଲୋନି, ରଘୁନାଥନଗର ଓ ସରକନ୍ତରା ଗାଁ ଅଞ୍ଚଳରେ ସ୍ଥାନୀୟ କିଛି ଅସାମାଜିକ ଯୁବକ ଆତଙ୍କରାଜ୍ ଚଳାଇ ଆସୁଥିବା ଅଭିଯୋଗ ହେଉଛି। ମଙ୍ଗଳବାର କେଶବ ସାହୁ ନାମକ ଜଣେ ଯୁବକକୁ ଆକ୍ରମଣ ହୋଇଥିବାବେଳେ ଆଜି ସକାଳେ ପୁଣି ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ମାଡ଼ ମାରିଛନ୍ତି। ଖଣ୍ଡଗିରି ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ବାପି ହେଉଛି ମାଷ୍ଟରମାଇଣ୍ଡ। ସେ ହିଁ ପଛରେ ରହି ଆକାଶ, ଅଗ୍ନି ଓ ବଳିଆ ଗୋଷ୍ଠୀକୁ ସବୁ ପ୍ରକାର ସହଯୋଗ କରିବା ସହ ଆତଙ୍କରାଜ୍ ପାଇଁ ବୋମା ଯୋଗାଇ ଆସୁଥିଲା। ବାପି ଗିରଫ ହେବା ପରେ ଆକାଶ ଓ ବଳିଆକୁ ଗିରଫ କରିବା ସହଜ ହେବ ବୋଲି ପୁଲିସ କହିଛି।