ମଦ ପିଇବା ଓ ଦାମୀ ପୋଷାକ ପିନ୍ଧିବାର ନିଶା ସଜାଇଲା ହତ୍ୟାକାରୀ, ମାତା-ପିତା ଓ ଭାଇକୁ ହତ୍ୟା କଲା ନାବାଳକ

ସାଗର(ମଧ୍ୟପ୍ରଦେଶ): ଦାମୀ ପୋଷାକ ପିନ୍ଧିବାର ସଉକ, ସାଙ୍ଗମାନଙ୍କ ଆଗରେ ନିଜକୁ ବଡ଼ ଦେଖାଇବାର ଇଛା ଏବଂ ମଦ ପିଇବାର ନିଶା ଆଜି ଜଣେ ନାବାଳକକୁ ହତ୍ୟାକାରୀ ସ‌ଜେଇଛି। କୌଣସି ବାହାର ଲୋକଙ୍କୁ ନୁହେଁ ବରଂ ନିଜ ପରିବାରକୁ ହତ୍ୟା କରିଛି ନାବାଳକ। ମାତା-ପିତା ଓ ଭାଇକୁ ହତ୍ୟା କରିବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ସହରରେ। ହତ୍ୟାକାରୀ ପୁଅ ମାତା-ପିତା ଓ ଭାଇକୁ ହତ୍ୟା କରିବା ପରେ ପରଦିନ ୫,୦୦୦ଟଙ୍କାର ପୋଷାକ ପିନ୍ଧି ସ୍କୁଲ ଯିବା ସହ ୪ଦିନ ପର୍ଯ୍ୟନ୍ତ ୩ଟି ଶବ ସହ ନିଜ ଘରେ ରହିଥିଲା। ହେଲେ ଶବଗୁଡ଼ିକ ଶଢ଼ିଯିବା ପରେ ବାହାରକୁ ଦୁର୍ଗନ୍ଧ ଆସିବାରୁ ନାବାଳକର ବର୍ବରତା ସାମ୍ନାକୁ ଆସିଥିଲା। ଏ ନେଇ ପଡ଼ୋଶୀ ପୁଲିସକୁ ଖବର ଦେବା ପରେ ପୂରା ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। ଏବେ ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି।

ପୁଲିସର କହିବା ଅନୁସାରେ, ଘଟଣାଟି ଜାନୁଆରି ୨୪ରେ ଘଟିଥିଲା। ଅଭିଯୁକ୍ତ ନିଜ ମା’ଙ୍କୁ ୧,୫୦୦ଟଙ୍କା ମାଗିଥିଲେ ମଧ୍ୟ ତାଙ୍କ ମା’ ଦେବାକୁ ମନା କରିଥିଲେ। ଫଳରେ ରାଗିଯାଇ ଅଭିଯୁକ୍ତ ନିଜ ମା’ଙ୍କ ଗଳା ଚିପି ହତ୍ୟା କରିଥିଲା। ଘଟଣାର କିଛି ସମୟ ପରେ ତାଙ୍କ ବାପା ଘରକୁ ଫେରି ପତ୍ନୀଙ୍କୁ ମୃତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ କିଛି କରିବା ପୂର୍ବରୁ ଅଭିଯୁକ୍ତ ପୁଅ ବନ୍ଧୁକ ଆଣି ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ। ଦୁହିଁଙ୍କୁ ହତ୍ୟା କରିବା ପରେ ସାନ ଭାଇକୁ ଟ୍ୟୁସନରୁ ଆଣି କରିଥିବା ଅପରାଧ ବିଷୟରେ ଜଣାଇଥିଲା ଅଭିଯୁକ୍ତ। ସବୁ ଜାଣି ସାନ ଭାଇ କାନ୍ଦିବାରୁ ତା’ର ମଧ୍ୟ ଗଳା ଚିପି ଅଭିଯୁକ୍ତ ହତ୍ୟା କରିଥିଲା। ଘଟଣା ଦିନ ଘରେ ୩ଟି ମୃତଦେହ ସହ ରହିବା ସହ ପର ଦିନ ସ୍କୁଲ ଯାଇ ପାର୍ଟିରେ ଯୋଗଦେଇଥିଲା ଅଭିଯୁକ୍ତ। ୪ଦିନ ପର୍ଯ୍ୟନ୍ତ ମୃତଦେହ ସହ ରହିବା ପରେ ଦୁର୍ଗନ୍ଧ ଆସିବାରୁ ଅଭିଯୁକ୍ତ ଘର ତାଲା ପକାଇ ଲଳିତପୁର ଚାଲିଯାଇଥିଲା।

aajtak.intoday.in

ଏ ମଧ୍ୟରେ ପଡ଼ୋଶୀ ବନ୍ଦ ଘର ଦୁର୍ଗନ୍ଧ ଆସୁଥିବା ଜାଣି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଆସି ଘର ଖୋଲିବା ପରେ ଭିତରେ ୩ଟି ମୃତଦେହ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ପଡ଼ୋଶୀଙ୍କୁ ପଚରାଉଚରା କରି ଘରର ବଡ଼ ପୁଅ ଫେରାର ଥିବା ଜାଣି ‌ସନ୍ଦେହରେ ତଦନ୍ତ କରିଥିଲା ପୁଲିସ। ଦୁଇ ଦିନ ଖୋଜିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ନିଜର ଦୋଷ ମାନି ନେଇଛି ଅଭିଯୁକ୍ତ।

ସମ୍ବନ୍ଧିତ ଖବର