ଅନ୍ୟକୁ ଫସାଇ ଜେଲ ପଠାଇବାର ଥିଲା ଯୋଜନା, ଗୁଳି ଚଳାଇବାକୁ କହି ଭୁଲବଶତଃ ନିଜର ହତ୍ୟା କରି ବସିଲେ ଯୁବକ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଖଜୁରୀ ଖାସ୍‌ରେ ଗତ ସୋମବାର ରାତିରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ଗୁଳି ମାରି ହତ୍ୟା କରାଯାଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ମାମଲାକୁ ନେଇ ସାରା ରାତି ତଦନ୍ତ ଚାଲିଥିଲା। ଏହି ତଦନ୍ତ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଯେଉଁ ଯୁବକଙ୍କୁ ଗୁଳି ବାଜିଥିଲା, ସେ ଷଡଯନ୍ତ୍ରର ସୂତଧାରା ଥିଲେ। ତାଙ୍କର ଷଡଯନ୍ତ୍ର ଏହା ଥିଲା କି, ତାଙ୍କର ହତ୍ୟାର ଉଦ୍ୟମ କରି ଅନ୍ୟକୁ ଫସାଇବା। ସେଥିପାଇଁ ଗୋଟିଏ ଗୁଳି ତାଙ୍କ ଜଙ୍ଘରେ ଓ ଅନ୍ୟଟି ତାଙ୍କ କାନ୍ଧରେ ଫୁଟାଇବାକୁ କହିଥିଲେ। ଅନ୍ଧାର ହୋଇଥିବାରୁ ଯେଉଁ ଗୁଳିଟି କାନ୍ଧରେ ବାଜିଥିଲା ତାହା ଛାତିରେ ବି ଲାଗିଥିଲା। ଯେଉଁଥିରେ ତାଙ୍କ ହୃଦୟକୁ ଆଘତ ଲାଗିଥିଲା। ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତବୋଲି ଘୋଷଣା କରିଥିଲେ। ଏହି ଯୋଜନାରେ ତାଙ୍କ ପ୍ରଥମ ପତ୍ନୀ, ଶାଶୁ ଓ କିଛି ସାଙ୍ଗମାନେ ସାମିଲ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଯାବତ୍‌ ପୁଲିସ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ପିସିଆରଙ୍କୁ ରାତି ୧୨.୩୦ରେ ସୂଚନା ମିଳିଲା କି ଖଜୁରି ଖାସ୍‌ସ୍ଥିତ ରାଜକୀୟ ବିଦ୍ୟାଳୟ ନିକଟରେ ଜଣେ ଯୁବକଙ୍କୁ କେହି ଜଣେ ଗୁଳି ମରି ଚାଲିଯାଇଛି। ପୁଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଟିବି ହସ୍‌ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଚିକିତ୍ସା ଚାଲିଥିବା ସମୟରେ ଉକ୍ତ ଯୁବକଙ୍କ ମୃତ ହୋଇଥିଲା। ମୃତ ଯୁବକ ଯମୁନା ବାଜାର ରେନ୍‌ ବସେରେରେ ରହୁଥିବା ମନୋଜ(୩୦) ବୋଲି ଜଣାପଡ଼ିଛି। ପିସିଆରକୁ ମୃତକର ସାଙ୍ଗ ଅଜୟ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲା।

ଗାଜିଆବାଦରେ ରହୁଥିବା ଅଜୟ ପୁଲିସକୁ କହିଥିଲେ, ସେ ରାସ୍ତାରେ ଅଟୋକୁ ଅପେକ୍ଷା କରିଥିବା ସମୟରେ ଦୁଇଜଣ ଯୁବକ ମନୋଜକୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଜୟକୁ ପଚରାଉଚରା ସମୟରେ କଥା ବଦଳାଉଥିବାରୁ ପୁଲିସର ସନ୍ଦେହ ଅଜୟ ଉପରେ ହିଁ ହୋଇଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ, ମନୋଜ ଦୁଇଜଣଙ୍କୁ ବିବାହ କରିଥିଲା। ସେ ବିଶେଷ କିଛି କାମଧାମ କରେ ନାହିଁ। ସେ ରହୁଥିବା ସ୍ଥାନରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଥିଲା। ମନୋଜ ନିଜର ହତ୍ୟା ଯୋଜନା କରି ସେହି ବ୍ୟକ୍ତିଙ୍କୁ ଜେଲ ପଠାଇବାକୁ ଚାହୁଁଥିଲେ।

ସମ୍ବନ୍ଧିତ ଖବର