ଆମ୍‌ଲେଟ୍‌ରେ ମୂଷମରା ବିଷ ଦେଇ ମାଲିକାଣୀଙ୍କୁ ହତ୍ୟା ଉଦ୍ୟମ କରି ରୋଷେୟା ଗିରଫ

ମୁମ୍ବାଇ: କୋଲାବାରେ ବାସ କରୁଥିବା ୬୫ ବର୍ଷୀୟ ପାର୍ସୀ ମହିଳା ଜୀନିଆ ଖାଜୋତିଆ ଖାଇ ସାରିବା ପରେ ଅସୁସ୍ଥ ଅନୁଭବ କଲେ ସେ ଜାଣି ନ ଥିଲେ ଯେ ଖାଦ୍ୟ ବିଷାକ୍ତକ୍ରିୟା ଯୋଗୁଁ ନୁହେଁ ମୂଷାମରା ବିଷ ଯୋଗୁଁ ତାଙ୍କର ବାନ୍ତି ହେଉଛି।

ତାଙ୍କ ରୋଷେୟା ୩୩ ବର୍ଷିୟ ରିୟାଜୁଲ୍‌ ହକ୍‌ ଓରଫ୍‌ ମଣ୍ଡଳଙ୍କୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଗିରଫ କରାଯାଇଛି। ରାଜ୍ୟ ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲାବ୍ରୋଟରିରୁ ଖାଦ୍ୟ ନମୁନାର ରିପୋର୍ଟ ଆସିବା ପରେ ପୁଲିସ ତାଙ୍କ ଉପରେ ଆଟେମ୍ପ୍‌ଟ୍‌-ଟୁ-ମର୍ଡର୍‌ ମାମଲା ଚାର୍ଜ କରିବ।

ଅଭିଯୋଗରେ ଜୀନିଆ କହିଛନ୍ତି ଯେ ସେ ଗତ ଜୁଲାଇ ମାସରେ ସିଙ୍ଗାପୁରରୁ ଫେରିଲେ। ତାଙ୍କ ଘରେ ମଣ୍ଡଳ ବର୍ଷ ବର୍ଷ ଧରି ରୋଷେଇ କରେ। ହତ୍ୟା କରିବାର ଉଦ୍ଦେଶ୍ୟ କ’ଣ ପୁଲିସ ଖୋଜିବାକୁ ଚେଷ୍ଟା ଚଳାଇଥିବା ବେଳେ ମଣ୍ଡଳ କିଛି ଦିନ ହେବ ତାଙ୍କ ଖାଦ୍ୟରେ ଥାଲିୟମ୍‌ ମିଶାଉଥିବା କଥା ଜଣାପଡ଼ିଛି। ଡାକ୍ତରଙ୍କ ଉପଦେଶ ଅନୁସାରେ ଜୀନିଆ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଆମ୍‌ଲେଟ୍‌ରୁ ଖଣ୍ଡେ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ପରୀକ୍ଷା ଫଳ ତାଙ୍କୁ ଚଡ଼କ ପଡ଼ିଲା ପରି ଲାଗିଲା।

ସିଙ୍ଗାପୁରରୁ ଫେରିବା ପରେ ଖାଜୋତିଆ ମଣ୍ଡଳ ରାନ୍ଧିଥିବା ଖାଦ୍ୟ ଖାଇବା ପରେ ସବୁବେଳେ ଅସୁସ୍ଥତା ଓ ନିଦୁଆ ଲାଗୁଥିବା କଥା କହୁଥିଲେ। କ୍ୟୁଫ୍‌ ପାରାଡେରେ ବାସ କରୁଥିବା ନିଜ ଝିଅ ତାହମିନ୍‌ ଆଗରେ ମଧ୍ୟ ସେ ଏ କଥା କହିଥିଲେ।

ଅଗଷ୍ଟ ୧୧ ତାରିଖ ଦିନ ତାହମିନ୍‌ ମାଆଙ୍କ ପାଖକୁ ଆସିଥିଲେ। ମଣ୍ଡଳ ତିଆରି କରିଥିବା ଆମ୍‌ଲେଟ୍‌ ଓ କଫି ଖାଇଥିଲେ। ତାଙ୍କୁ ବି ନିଦୁଆ ବାନ୍ତି ଲାଗିଲା। ତୁରନ୍ତ ସେ ଡାକ୍ତରଙ୍କୁ ପରାମର୍ଶ କଲେ। ଆମ୍‌ଲେଟ୍‌ରେ ଥିଲା କିଛି ସନ୍ଦିଗ୍ଧ ଲାଲ୍‌ କଣିକା। ଏକ ଘରୋଇ ଫୋରେନ୍‌ସିକ୍‌ ଲ୍ୟାବ୍‌ରେ ଖାଦ୍ୟ ପରୀକ୍ଷା କରାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଲେ। ୨୪ ତାରିଖରେ ରିପୋର୍ଟ ଆସିଲା ଯେ ସେଥିରେ ଥାଲିୟମ୍‌ ମିଶିଛି।
ଏଥିରେ ଅନ୍ୟମାନଙ୍କର ସମ୍ପୃକ୍ତି ସନ୍ଦେହ କରି, କାହା ନିର୍ଦେଶରେ ମଣ୍ଡଳ ଖାଦ୍ୟରେ ବିଷ ମିଶାଉଛି, ସେ କଥା ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର