ଭୁବନେଶ୍ୱର : ବଜ୍ରକାପ୍ତା ଚୋରା ଚାଲାଣ ର୍ୟାକେଟ୍ର ଜୋରଦାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏସ୍ଟିଏଫ୍ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ମିଜୋରାମର ରାମଲାଲ୍ ଟୁଙ୍ଗା। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ଟିଏଫ୍ ମୁଖ୍ୟ ହିମାଂଶୁ ଲାଲଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଚାହିଦା ରହିଛି। ଗୋଟିଏ ଗୋଟିଏ ବଜ୍ରକାପ୍ତା ୫ରୁ ୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ। ଓଡ଼ିଶାର ନୟାଗଡ଼, ଖୋର୍ଧା, ଦଶପଲ୍ଲା, ଫୁଲବାଣୀ ଆଦି ଜିଲ୍ଲାରେ ବଜ୍ରକାପ୍ତା ବହୁଳ ପରିମାଣରେ ଦେଖା ଦେଇଥାନ୍ତି। ଏଗୁଡ଼ିକୁ ଶିକାର କରି ଚୀନ, ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଦକ୍ଷିଣକୋରିଆ, ଥାଇଲାଣ୍ଡ ଭଳି ଦେଶକୁ ଚାଲାଣ ହୋଇଥାଏ। ବଜ୍ରକାପ୍ତାରୁ ଦାମୀ ଔଷଧ, ଗହଣା ଭଳି ସାମଗ୍ରୀ ପ୍ରସ୍ତୁତ ହୋଇଥାଏ।
ସପ୍ତାହକ ତଳେ ନୟାଗଡ଼ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗ ଶ୍ୟାମସୁଦ୍ଦିିନ୍ଙ୍କୁ ଗିରଫ କରିଥିଲା। ଗିରଫବେଳେ ତାଙ୍କଠାରୁ ବହୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ ହୋଇଥିଲା। ଏହା ପରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ଏସ୍ଟିଏଫ୍। ଏସ୍ଟିଏଫ୍ ତଦନ୍ତ କରି ଜାଣିବାକୁ ପାଇଛି କି, ଶ୍ୟାମସୁଦ୍ଦିିନ୍ଙ୍କୁ ୨୦୧୪ ମସିହାରେ ମଧ୍ୟପ୍ରଦେଶ ବନ ବିଭାଗ ଗିରଫ କରିଥିଲା। ତାଙ୍କଠାରୁ କେତେକ ବାଘ ଚମଡ଼ା ଜବତ ହୋଇଥିଲା। ଏହା ଛଡ଼ା ବିଭିନ୍ନ ସମୟରେ ସେ ବନ୍ୟଜନ୍ତୁ ଚୋରା ଚାଲାଣ କରିଥାନ୍ତି। ଶ୍ୟାମସୁଦ୍ଦିିନ୍ଙ୍କ ପୁଅ ଆଲ୍ଲାରୁଖ୍ ମଧ୍ୟ ଏହି ଚୋରା ଚାଲାଣରେ ସଂପୃକ୍ତ ଥିବା ଏସ୍ଟିଏଫ୍ ତଦନ୍ତବେଳେ ଜାଣିପାରିଥିଲା। ତା ନାଁରେ ମଧ୍ୟପ୍ରଦେଶ ବନ ବିଭାଗ ମାମଲା ରୁଜୁ କରିଥିଲା। ଗତ ୧ ତାରିଖରେ ଆଲ୍ଲାରୁଖ୍ ଖାନ୍କୁ ମଧ୍ୟ ଏସ୍ଟିଏଫ୍ ଗିରଫ କରିଥିଲା। ଏବେ ସେ ୬ ଦିନିଆ ରିମାଣ୍ଡରେ ଅଛି। ସେ ବଜ୍ରକାପ୍ତା କେଉଁ କେଉଁ ଦେଶକୁ ଚାଲାଣ କରୁଥିଲା ସେ ସଂପର୍କରେ ପଚରାଉଚରା କରାଯାଉଛି ବୋଲି ଏସ୍ଟିଏଫ୍ ମୁଖ୍ୟ ଶ୍ରୀ ଲାଲ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଥାଉକି, ରାଜ୍ୟରେ ବନ୍ୟଜନ୍ତୁ ଚାଲାଣ ମାମଲା ବଢ଼ି ବଢ଼ି ଚାଲିଛି। ୨୦୧୫ରେ ୫୮ଟି ମାମଲା ରୁଜୁ କରାଯାଇଥିବାବେଳେ ୨୦୧୬ରେ ୮୩ଟି ଓ ୨୦୧୭ରେ ୯୯ଟି ବନ୍ୟଜନ୍ତୁ ଚୋରା ଚାଲାଣ ମାମଲା ରୁଜୁ କରିଛି କ୍ରାଇମ୍ବ୍ରାଞ୍ଚ।