‘କୁମାରୀତ୍ୱ ପରୀକ୍ଷା’କୁ ବିରୋଧ ମହଙ୍ଗା ପଡ଼ିଲା; ପ୍ରଥାର ଦ୍ୱାହି ଦେଇ ବର ଓ ତା’ସାଙ୍ଗଙ୍କୁ ନିର୍ଦ୍ଧୁମ୍ ଛେଚିଲେ ପଞ୍ଚାୟତ ସଦସ୍ୟ
ପୁଣେ: ଏକବିଂଶ ଶତାଦ୍ଦୀରେ ଭାରତ ଅଧିକରୁ ଅଧିକ ଆଧୁନିକ ହେବା ସହ ଜଗତ୍କରଣ ଆଡ଼କୁ ଆଗେଇ ଚାଲିଥିବାବେଳେ ଏବେ ବି ଦେଶରେ ପ୍ରଥା ନାମରେ ଚାଲିଛି ଅନେକ ସାମାଜିକ କଳଙ୍କ। ଏଇ ନିକଟରେ ପ୍ରଥା ନାମରେ ଚାଲିଥିବା ଏହିପରି ଏକ ସାମାଜିକ କଳଙ୍କର ପର୍ଦ୍ଦାଫାସ୍ ହେବାପରେ ଏହାକୁ ନେଇ ଏବେ ଦେଶବ୍ୟାପି ସୃଷ୍ଟି ହୋଇଛି ଚର୍ଚ୍ଚା ଓ ଆଲୋଡ଼ନ।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କଞ୍ଜରଭଟ୍ଟ ନାମକ ଏକ ସଂପ୍ରଦାୟରେ ଏବେ ବି ‘କୁମାରୀତ୍ୱ ପରୀକ୍ଷା’ ପରି କଳଙ୍କିତ ପ୍ରଥା ପ୍ରଚଳିତ ରହିଛି। ଏହି କଳଙ୍କିତ ପ୍ରଥାକୁ ସମସ୍ତ ପ୍ରକାରର ସମର୍ଥନ ଓ ସହଯୋଗ ଯୋଗାଇ ଦେଉଛି ସଂପୃକ୍ତ ସଂପ୍ରଦାୟର ପଞ୍ଚାୟତ। ପ୍ରଥା ଅନୁଯାୟୀ, ବିବାହର ପ୍ରଥମ ରାତିରେ ବଧୂର କୁମାରୀତ୍ୱ ପରୀକ୍ଷା ନେବ ପଞ୍ଚାୟତ। ତେବେ, ଏହି ସଂପ୍ରଦାୟର କେତେକ ଶିକ୍ଷିତ ଯୁବକ ଏବେ ଏହି କଳଙ୍କିତ ପ୍ରଥାକୁ ବିରୋଧ କରିବା ସହ ଏହା ବିରୋଧରେ ଆରମ୍ଭ କରିଛନ୍ତି ଏକ ଆନ୍ଦେଳନ। ସେମାନେ ହ୍ଵାଟସ୍ଆପ୍ରେ ‘ଷ୍ଟପ୍ ଦି ଭି-ରିଚୁଆଲ୍’ ନାମରେ ଏକ ଗ୍ରୁପ୍ ତିଆରି କରି ସେଥିରେ ସେମାନଙ୍କର ସଂପ୍ରଦାୟର ଯୁବପିଢ଼ିକୁ ସାମିଲ କରିବା ସହ ଏହି କଳଙ୍କିତ ପ୍ରଥାକୁ ବନ୍ଦ କରିବାକୁ ସେମାନଙ୍କୁ ପରାମର୍ଶ ଦେଉଛନ୍ତି।
ତେବେ, ଗତ ରବିବାର ଦିନ ଏହି ଗ୍ରୁପ୍ର ଜନୈକ ସଦସ୍ୟ ପ୍ରଶାନ୍ତ ଇନ୍ଦରକରଙ୍କର ବିବାହ ଥିଲା। ଭଟ୍ଟ ନଗରର ୟରଓ୍ଵାଡ଼ା ଠାରେ ଆୟୋଜିତ ପ୍ରଶାନ୍ତଙ୍କର ବିବାହ ଉତ୍ସବରେ ତାଙ୍କର ଅନ୍ୟ ବନ୍ଧୁମାନେ ମଧ୍ୟ ଯୋଗ ଦେଇଥିଲେ, ଯେଉଁମାନେ କି ଏହି କଳଙ୍କିତ ପ୍ରଥା ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି। ରାତି ପ୍ରାୟ ୯ଟା ବେଳକୁ ପ୍ରଶାନ୍ତଙ୍କ ବିବାହ ସଂପନ୍ନ ହେବାପରେ ସେଠାରେ ଉପସ୍ଥିତ ପଞ୍ଚାୟତର ସଦସ୍ୟମାନେ ତାଙ୍କ ନବ ବିବାହିତା ପତ୍ନୀଙ୍କର କୁମାରୀତ୍ୱ ପରୀକ୍ଷା ନେବାକୁ ଆଗେଇ ଆସିଲେ। ଯଦିଓ ସେମାନେ ଜାଣିଥିଲେ ଖୋଦ୍ ପ୍ରଶାନ୍ତ ଏହି ପ୍ରଥାକୁ ବିରୋଧ କରୁଛନ୍ତି। ହେଲେ, ପ୍ରଶାନ୍ତ ଯେତେବେଳେ ଏହାର ବିରୋଧ କଲେ, ସେତେବେଳେ ଏହାକୁ ଏକ ପ୍ରଥା ବୋଲି କହିବା ସହ ଏହାକୁ ପାଳନ ନ କଲେ ଜରିମାନା ଦେବାକୁ ହେବ ବୋଲି ପଞ୍ଚାୟତ ସଦସ୍ୟମାନେ ଧମକ ଦେଲେ।
କିନ୍ତୁ, ପ୍ରଶାନ୍ତ ତାଙ୍କ ସାଙ୍ଗମାନଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଫଳରେ ପଞ୍ଚାୟତର ସଦସ୍ୟମାନେ ମିଳିତ ଭାବେ ପ୍ରଶାନ୍ତ ଓ ସେଠାରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଦେଇଥିଲେ। ହେଲେ, କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ପିମ୍ପରି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତକୁ ନିୟନ୍ତ୍ରଣ କରିବା ସହ ପଞ୍ଚାୟତର ପ୍ରାୟ ୪୦ରୁ ଅଧିକ ଲୋକଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଏକାଧିକ ଦଫା ଲଗାଇ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏହି ଘଟଣା ପରେ ଏବେ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।