ଶିକ୍ଷକଙ୍କ ଘରୁ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଧଉଳି : ରବିବାର ବିଳମ୍ବିତ ରାତିରେ ଧଉଳି ଥାନା ଅନ୍ତର୍ଗତ ଗଙ୍ଗୋତ୍ରୀନଗର ଲେନ୍‌-୩ରେ ରହୁଥିବା ଜଣେ ଶିକ୍ଷକଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଘର ଝରକା ତାଡ଼ି ନଗଦ ୬୫ ହଜାର ଟଙ୍କା ସହିତ ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କାର (୧୮ ଭରି) ବିଭିନ୍ନ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଚୋରି ଯାଇଥିବା ରୁନା ଓ ରୁପା ଗହଣା ମଧ୍ୟରେ ରହିଛି ଦୁଇଟି ସୁନା ହାର, ୨୫ଟି ମୁଦି, ୫ଟି ଚେନ୍‌, ୪ଟି ଲକେଟ୍‌, ୪ ପଟ ବାହୁଟି, ୮ ପଟ ଶଙ୍ଖା, ଦୁଇ ହଳ କାନଫୁଲ, ପଟେ ବାହୁଟି, ଦୁଇଟି କାନଫାସିଆ, ୫ ହଳ ପାଉଁଜି, ତିନିଟି ରୁପାମୁଦି ଓ ଅନ୍ୟ ଦୁଇଟି ଦାମୀ ହାତଘଣ୍ଟା। ଲୁଟ୍‌ର ଶିକାର ହୋଇଥିବା ଏହି ଶିକ୍ଷକ ଜଣକ ହେଲେ ଉଦୟନାଥ ବେହେରା। ଏ ସଂକ୍ରାନ୍ତରେ ଉଦୟ ଆଜି ପୂର୍ବାହ୍ଣରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଏସ୍‌ ଆଇ ପ୍ରଦୀପ ମହଲ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି। ହେଲେ ଲୁଟ୍‌ ଗହଣା ଓ ସଂପୃକ୍ତ ଲୁଟେରାଙ୍କ ସଂପର୍କରେ କିଛି ସୁରାକ୍‌ ମିଳିନି। ପ୍ରାପ୍ତ ସୂଚନାନୁଯାୟୀ ଉଦୟନାଥଙ୍କ ନିଜ ଘର ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମରେ। ହେଲେ ସେ ବାଲିପାଟଣା ଥାନା ଅନ୍ତର୍ଗତ ପାଣିକଟା ଗ୍ରାମସ୍ଥିତ ଝିଣ୍ଟିଶାସନ ହାଇସ୍କୁଲରେ ଶିକ୍ଷକତା କରନ୍ତି। କିନ୍ତୁ ଉଦୟନାଥ ଧଉଳି ଥାନା ଅନ୍ତର୍ଗତ ଲେନ୍‌-୩ର ପ୍ଲଟ୍‌ ନଂ-୫୮/୨୨୧୪ ରେ ଘର ଭଡ଼ାନେଇ ରୁହନ୍ତି। ତାଙ୍କ କହିବାନୁଯାୟୀ ଗତକାଲି ସେ ନିଜ ବେଡ୍‌ରୁମ୍‌ ଛାଡ଼ି ପାଖଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଉକ୍ତ ରୁମ୍‌ର ଝରକା ତାଡ଼ି ଘର ଭିତରେ ପଶି ଆଲମିରା ଓ କ୍ୟାସ୍‌ ଡ୍ର ତାଲା ଭାଙ୍ଗି ସେଥିରେ ଥିବା ଉପରୋକ୍ତ ସୁନା ଓ ରୁପା ଗହଣା ସମେତ ଟଙ୍କା ଲୁଟି ନେଇଛନ୍ତି। ଉଦୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର