ସନ୍ଦିଗ୍‌ଧଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ନିଜ ଅଧସ୍ତନ କର୍ମଚାରୀଙ୍କୁ ଗୁଳି ମାରିଲେ ଉତ୍ତର ପ୍ରଦେଶ ପୁଲିସ

ଲକ୍ଷ୍ନୌ: ସନ୍ଦିଗ୍ଧଙ୍କ ଦୁର୍ବ୍ୟବହାର କରିବା ଯୋଗୁଁ ଉତ୍ତର ପ୍ରଦେଶର ଜଣେ ପୁଲିସ ସବ୍‌-ଇନ୍‌ସପେକ୍‌ଟର୍‌ ଜଣେ ହେଡ୍‌ କନେଷ୍ଟବଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଘଟଣାଟି ଘଟିଛି ଫତେପୁର ଜିଲ୍ଲାରେ। ସେଠାରେ କୁଅାଁର୍‌ ବେଧଡ଼କ ନାମରେ ପରିଚିତ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଲକ୍ଷ୍ମୀକାନ୍ତ ସେଙ୍ଗାର୍‌ ହେଡ୍‌ କନେଷ୍ଟବଳ ଦୁର୍ଗେଶ ତିଓ୍ଵାରିଙ୍କୁ ଥାନା ପରିସରରେ ଗୁଳି ମାରିଛନ୍ତି ବୋଲି କୁହାଯାଉଛି। ଉଭୟ ବିଜୟୀପୁର ଫାଣ୍ଡିରେ ନିଯୁକ୍ତ ପାଇଥିଲେ। ଶନିବାର ଅଧରାତିରେ ଏ କାଣ୍ଡ ଘଟିଥିବା ପ୍ରକାଶ।

ତିଓ୍ଵାରି ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ଜଣେ ଲୋକ ମୁଖ୍ୟ ରାସ୍ତା ଉପରେ ଜଣେ ଟ୍ରକ୍‌ ଡ୍ରାଇଭର୍‌ଙ୍କ ଝଗଡ଼ା କରୁଥିବା ଦେଖି ଉଭୟଙ୍କୁ ଫାଣ୍ଡିକୁ ନେଇ ଆସିଥିଲେ।

ଉତ୍ତମ ବେଶପୋଷାକ ସାଜିଥିବା ଏବଂ ଇଂରାଜି କହୁଥିବା ସେ ବ୍ୟକ୍ତିଙ୍କର ନାଁ ନନ୍ଦଲାଲ୍‌ ବୋଲି ପରେ ଜଣାପଡ଼ିଥିଲା। ସେ ମଦ୍ୟପାନ କରିଥିବାରୁ ଫାଣ୍ଡିରେ ବି ପୁଲିସବାଲାଙ୍କ ସହ ଝଗଡ଼ା କରୁଥିଲେ। ପ୍ରଥମେ ପୁଲିସ ତାଙ୍କୁ ବୁଝାଶୁଝା କରାଇବାକୁ ଉଦ୍ୟମ କରିବାରୁ ସେ ଫଳାଫଳ ଭୟାବହ ହେବ ବୋଲି କହିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ତିଓ୍ଵାରି ଯାଇ ନନ୍ଦଲାଲଙ୍କ ସହ ପାଟିତୁଣ୍ଡ କରି ତାଙ୍କୁ ମାରଧର କଲେ। ଚେଆର୍‌ରେ ବସିଥିବା ସେଙ୍ଗାର୍‌ ସେ କଜିଆ ଦୃଶ୍ୟର ଚିତ୍ରତ୍ତୋଳନ କରି ପରେ ସାମାଜିକ ଗଣମାଧ୍ୟମରେ ତାହାକୁ ସେୟାର୍‌ କରିଥିଲେ।

ତିଓ୍ଵାରି ନନ୍ଦଲାଲ୍‌ଙ୍କୁ ହାଜତରେ ପୂରାଇବାକୁ ଜିଦ୍‌ ଧରିଥିବା ବେଳେ ସେଙ୍ଗାର ମାମଲାର ସମାଧାନ ଚାହୁଁଥିଲେ।

ଏ କଥାରେ ତିଓ୍ଵାରି ଏବଂ ସେଙ୍ଗାର୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସେମାନେ କରିଡୋର୍‌କୁ ଯାଇଥିଲେ।

କିଛି ସମୟ ପରେ ଗୁଳି ଫୁଟିବା ଶବ୍ଦ ଶୁଣି ଅନ୍ୟ କନେଷ୍ଟବଳମାନେ କରିଡୋର୍‌କୁ ଯାଇ ଦେଖିଲେ ତିଓ୍ଵାରି ରକ୍ତ ଜୁଡୁବୁଡୁ ହୋଇ ଚଟାଣରେ ପଡ଼ିଛନ୍ତି। ସଙ୍ଗେ ସଙ୍ଗେ ସେଙ୍ଗାର୍‌ ତିଓ୍ଵାରିଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ।

ଡାକ୍ତରଖାନାକୁ ଯିବା ବାଟରେ ସେଙ୍ଗାର୍‌ ସେ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ଉଦ୍ଦେଶ୍ୟ ଥିଲା ଧରାପରା ସମୟରେ ତାଙ୍କ ସର୍ଭିସ୍‌ ରିଭଲ୍‌ଭର୍‌ରୁ ଗୁଳି ଫୁଟି ଯାଇଛି ବୋଲି ଦାବି କରିବା।

କିନ୍ତୁ ସେ ଭିଡିଓ କ୍ଲିପ୍‌ରେ ଥିଲା କେବଳ ତିଓ୍ଵାରି ଏବଂ ନନ୍ଦଲାଲ୍‌ଙ୍କ କଜିଆ ସେଥିରେ ସେଙ୍ଗାର୍‌ ନ ଥିଲେ। ସେମାନେ ଡାକ୍ତରଖାନରେ ପହଞ୍ଚିବା ପୂର୍ବରୁ ପୁଲିସ ବାଟରୁ ସେଙ୍ଗାର୍‌ଙ୍କୁ ଗିରଫ କରିଥିଲା। ଛାତିରେ ଗୁଳି ପଶିଥିବା ତିଓ୍ଵାରିଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସେ ମରି ସାରିଥିଲେ।

ସମ୍ବନ୍ଧିତ ଖବର