ଖଣ୍ଡଗିରି : ଏକ ଜାତୀୟସ୍ତରର ସାମ୍ବାଦିକ କରୁଥିଲେ ଚୋରା ବନ୍ଧୁକ କାରବାର। ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରୁ ଚୋର ଦେଶୀ ବନ୍ଧୁକ ଆଣି ସେ ଓଡ଼ିଶାରେ ବେପାର କରୁଥିଲେ। ଏଥିପାଇଁ ଜଣେ ଯୁବତୀଙ୍କୁ ସେ ନିଜ ଘରେ ଢାଲ କରି ରଖିଥିଲେ। ତାଙ୍କ ଜରିଆରେ ଗ୍ରାହକମାନଙ୍କ ସହ ଡିଲ୍ କରୁଥିଲେ। ବୁଧବାର ଅପରାହ୍ଣ ପ୍ରାୟ ୪ଟା ବେଳେ ସାମ୍ବାଦିକଙ୍କ ଘରୁ ଉକ୍ତ ଯୁବତୀଙ୍କୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଖଣ୍ଡଗିରି ଥାନା ପୁଲିସ ଏକ ବିଶ୍ୱସ୍ତସୂତ୍ରରୁ ଖବର ପାଇ ପାତ୍ରପଡ଼ା ବିଏନ୍ ରେସିଡେନ୍ସିର ୨୦୩ ନମ୍ବର ଘରେ ଚଢ଼ାଉ କରିଥିଲା। ଏହି ଘରକୁ ଛତିଶଗଡ଼ ଏକ ନିଉଜ୍ ଚ୍ୟାନେଲରେ କାମ କରୁଥିବା ଅନୀଲ କୁମାର ତ୍ରିପାଠୀ ଭଡ଼ାରେ ନେଇ ରହୁଥିଲେ। ଚଢ଼ାଉବେଳେ ସାମ୍ବାଦିକ ତ୍ରିପାଠୀ ଘରେ ନଥିଲେ ବି ତାଙ୍କ ସ୍ତ୍ରୀ ଓ ଯୁବତୀ ସବିତା ମଲ୍ଲିକ(ଛଦ୍ମନାମ) ରହୁଥିଲେ। ପୁଲିସ ସବିତାଙ୍କଠାରୁ ଏକ ୭.୬୫ ମିମି ପିସ୍ତଲ ଜବତ କରିଥିଲା। ପରେ ସବିତା ପୁଲିସ ନିକଟରେ ସବୁ ସ୍ୱୀକାର କରିଥିଲେ। ସବିତାଙ୍କ ଘର କେନ୍ଦ୍ରାପଡ଼ା ପାଟକୁରା ଥାନା କୋରୁଆ ଗାଁରେ ଓ ସେ ସାମ୍ବାଦିକ ଅନୀଲଙ୍କ ଦୂର ସମ୍ପର୍କୀୟ ହେବେ ବୋଲି କହିଥିଲେ। ଅନୀଲ ରାଜ୍ୟ ବାହାରୁ ବନ୍ଧୁକ ଚୋରାରେ ଆଣନ୍ତି ଓ ସେ ଗ୍ରାହକଙ୍କ ସହ ଡିଲ୍ କରି ବେପାର କରନ୍ତି ବୋଲି ସବିତା ମାନି ଯାଇଥିଲେ। ସାମ୍ବାଦିକ ହୋଇଥିବାରୁ ଅନୀଲ ରାଜ୍ୟ ବାହାରୁ ଚୋରା ବନ୍ଧୁକ ସହଜରେ ଆଣି ପାରୁଥିଲେ। ପୁଲିସ ଅନୀଲଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ନଥିଲା। ଗୁରୁବାର ସବିତାଙ୍କୁ କୋର୍ଟ ଚାଲାଣ କରାଯିବ।