କାମାକ୍ଷାନଗର: ବିଦ୍ୟୁତ ସର୍ଟସର୍କିଟରେ ଜଳିଗଲା ୧୦ ବଖରା ଘର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପା ଗାଁରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ ବଖରା ଘର ଜଳି ଯାଇଛି। ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରରର କର୍ମଚାରୀମାନେ ଦମକଳ ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋରରୁ ପ୍ରଥମେ ଗ୍ରାମର ନୃସିଂହ ନାୟକଙ୍କ ଘରୁ ନିଆଁ ବାହାରି ଥିଲା। ଚାହୁଁ ଚାହୁଁ ଏହି ନିଆଁ ଗାଁର ଅନ୍ୟ ଘରକୁ ମାଡ଼ି ଯାଇଥିଲା। ତେବେ କାମାକ୍ଷାନଗରରୁ ଦମକଳ ଗାଡ଼ି ଆସି ନିଆଁକୁ ଆୟତ କରିବା ପୂର୍ବରୁ ଗାଁର ଉଛବ ହାତୀ, ବିପିନ ପରିଡ଼ା, ସଦାନନ୍ଦ ପରିଡ଼ା, ରବି ପରିଡ଼ା, ମାଧବ ସ୍ୱାଇଁ , ରଞ୍ଜନ ହାତୀ ଓ କୁଳମଣି ସ୍ୱାଇଁ ପ୍ରମୁଖଙ୍କ ପ୍ରାୟ ୧୦ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସୁଧାଂଶୁ ମହାନ୍ତି ପ୍ରମୁଖ ପହଞ୍ଚି ଅଗ୍ନି ବିପନ୍ନମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ରିଲିଫ ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଲୋକେ କେବଳ ନିଜର ପିନ୍ଧା ଲୁଗା ବ୍ୟତୀତ ଘରର କୌଣସି ସାମଗ୍ରୀ ବଞ୍ଚାଇ ପାରି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର