ସ୍ୱାସ୍ଥ୍ୟ ପରୀକ୍ଷା ପରେ ୧୧ ଶ୍ରମିକଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୧୧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ ଛାଡ଼ି ଦିଆଯିବା ସହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଉଦ୍ଧାର ଦାଦନ ଶ୍ରମିକଙ୍କ ଘର କୋଲନରା ବ୍ଲକରେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୧ ଦାଦନ ଶ୍ରମିକ କେରଳର ତ୍ରିଚୁର ଜିଲ୍ଲାରେ କାମ କରୁଥିବା ବେଳେ ଟ୍ରେନ୍ ଯୋଗେ ଆସି ଆଜି ସକାଳେ ରାୟଗଡ଼ାରେ ପହଞ୍ଚିଥିଲେ। ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଶ୍ରମିକମାନେ ନିଜ ଘରକୁ ଫେରିପାରି ନ ଥିଲେ। ସହରର ବିଭିନ୍ନ ସ୍ଥାନରେ ଘୁରି ବୁଲୁଥିବା ଖବର ପାଇ ପ୍ରଶାସନ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଟାଉନ୍ ଥାନା ପୁଲିସ୍ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ପହଞ୍ଚି ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମସ୍ତେ ସୁସ୍ଥ ଥିବା ଜଣା ପଡ଼ିଛି।
ସମସ୍ତ ଶ୍ରମିକଙ୍କ ପଞ୍ଜିକରଣ କରାଯିବା ପରେ ଘରକୁ ଛାଡ଼ି ଦିଆଯାଇଛି। ଯଦି କୌଣସି ପ୍ରକାର ଅସୁସ୍ଥ ଅନୁଭବ କଲେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଶାସନକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଅନ୍ୟପକ୍ଷରେ ସମସ୍ତ ଶ୍ରମିକଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ କୋଲନରା ବ୍ଲକ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଛି।