ପୁଣି ଉଦ୍ଧାର ହେଲେ ୧୯ ଦାଦନ ଶ୍ରମିକ, ଜଣେ ଦଲାଲ ଗିରଫ, ସହଯୋଗୀ ଫେରାର

ଖଡ଼ିଆଳ: ରାଜ୍ୟ ବାହାରକୁ ଦାଦନ ଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ପୁଲିସ ଗୁରୁବାର ଜଣେ ଦଲାଲକୁ ଗିରଫ କରି ୧୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ଶ୍ରମିକମାନଙ୍କୁ ଖଡ଼ିଆଳ ଠାରୁ ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁର ନିଆଯିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଅନ୍ୟ ଜଣେ ସହଯୋଗୀ ଦଲାଲ ଫେରାର ହୋଇଯାଇଥିଲା।

ସୂଚନା ଅନୁସାରେ ଖଡିଆଳ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଗୁରୁବାର ରାତି ୧ଟାରେ ୧୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ପୁଲିସ ଖଡ଼ିଆଳ ଥାନା ସରଧାପୁର ଗ୍ରାମର ଗିରିଧାରି ତାଣ୍ଡି (୩୨), କିଶୋର ସୁନାନୀ(୨୨), ଜମିନ୍ଦ୍ର ବିଭାର(୩୫), ନୁରତନ ତାଣ୍ଡି(୨୪), ନେପାଳ ବିଭାର(୫୦), ପୁଷ୍ପା ତାଣ୍ଡି(୨୧) ପଦ୍ମାବତୀ ବିଭାର(୩୦), ଚେରା ଜଗତ(୨୫), ନେପୁର ତାଣ୍ଡି(୩୦), ନିଲାଦ୍ରୀ ବିଭାର(୪୦), ନନ୍ଦିନୀ ବିଭାର( ୨୧), ଲଲିତା ସୁନାନୀ(୨୩), ବନିତା ସୁନାନୀ(୫୦), ଇନ୍ଦୁ ସୁନାନୀ (୩୦), ତୁଲାରାମ ସୁନାନୀ(୩୦), ଧନମତି ସୁନାନୀ(୨୬) ଉଦ୍ଧାର ହୋଇଛନ୍ତି। ଏମାନେ ସମସ୍ତେ ସିନାପାଲି ଥାନା ଅନ୍ତର୍ଗତ କୋପିଆ ଗ୍ରାମର ଅଟନ୍ତି । ଖଡିଆଳ ଥାନା ସରାଧାପୁର ଗ୍ରାମର ୩ ଜଣ ଶିଶୁ କ୍ରିଷ୍ଣ ବିଭାର(୫), ପବିତ୍ର ଜଗତ(୬), ବିଷ୍ଣୁ ତାଣ୍ଡି(୧)ଙ୍କୁ ଖଡିଆଳ ପୁଲିସ ଉଦ୍ଧାର କରିଛି ।

ଗତ ନୂଆଖାଇ ପରଠାରୁ ନୂଆପଡା ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ଘଟଣା ବଢ଼ିବାରେ ଲାଗିଛି। ନୂଆପଡା, ଖଡ଼ିଆଳ, ବୋଡେନ, ସିନାପାଲି ସମେତ କୋମନା ପୁଲିସ ଦାଦନ ଶ୍ରମିକମାନଙ୍କୁ ବିିଭିନ୍ନ ସ୍ଥାନରୁ ଉଦ୍ଧାର କରି ଘରକୁ ପଠାଇଦେଉଥିବା ବେଳେ ତଥାପି ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି।

ଦାଦନ ଶ୍ରମିକ ଦଳାଲ ଏହି ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଇଟା ଗଢ଼ିବା ପାଇଁ ନେଉଥିଲା। ଏଥି ପାଇଁ ପ୍ରତ୍ୟେକଙ୍କୁ ମୁଣ୍ଡ ପିଛା ୩୦ ରୁ ୪୦ ହଜାର ଅଗ୍ରୀମ ଟଙ୍କା ମଧ୍ୟ ଦେଇଥିଲା। ସେଥିପାଇଁ ଦଲାଲ ଦାଦନ ଶ୍ରମିକମାନଙ୍କୁ ଖଡିଆଳ ଥାନା ଗଣ୍ଡାମୁଣ୍ଡା ଗ୍ରାମ ପାଖରେ ଏକତ୍ରିତ କରିଥିଲା। ଏହି ଶ୍ରମିକମାନଙ୍କୁ ଗୁରୁବାର ରାତି ୩ଟାରେ କାମଧେନୁ ବସରେ ରାୟପୁର ନେଇ ଯିବାର ଯୋଜନା ଥିଲା । ମାତ୍ର ବସ ରାୟପୁର ଯିବା ପୂର୍ବରୁ ଖଡିଆଳ ପୁଲିସ ଆଇଆଇସି କୈଲାଶ ଚନ୍ଦ୍ର ସେଠିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସବ ଇନିସପେକ୍ଟର ଜିତୁ ମୋହନ ବେଶ୍ରା ଓ ଡମ୍ବରୁଧର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଘଟଣାସ୍ଥଳରେ ପହଂଚି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ ।

ଏହି ଶ୍ରମିକମାନଙ୍କୁ ଦାଦନ ଦଳାଲ ଦିନବନ୍ଧୁ ସୁନାନୀ ନୂଆପଡା ଲେବର ଅଫିସରୁ କୌଣସି କାଗଜାତ ନକରି ବେଆଇନ ଭାବରେ ଆନ୍ଧ୍ରପ୍ରଦେଶକୁ ମାନବ ଚାଳଣ କରୁଥିଲା । ବର୍ତ୍ତମାନ ଦିନବନ୍ଧୁ ସୁନାନୀ ଫେରାର ଥିବା ସବ ଇନିସପେକ୍ଟର ଶ୍ରୀ ବେଶ୍ରା ପ୍ରକାଶ କରିଛନ୍ତି । ଦିନବନ୍ଧୁ ସୁନାନୀର ସହଯୋଗୀ ଧରମଲାଲ ସୁନାନୀକୁ ପୁଲିସ ଗିରଫ କରି ପଚରାଉଚରା କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର