ଲୁଟେରାଙ୍କ ଟାର୍ଗେଟରେ ଏସ୍‌ବିଆଇ ଏଟିଏମ୍‌ : ଗୋଟିଏ ରାତିରେ ଲୁଟିଲେ ୩୫ଲକ୍ଷ

ବାଲେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ବାଲେଶ୍ୱର ସହରରେ ଥିବା ଏସ୍‌ବିଆଇର ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟେରାମାନେ ୩୫ ଲକ୍ଷରୁ ଊର୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ସହରର ଜନଗହଳୀପୂର୍ଣ୍ଣ ଆଇଟିଆଇ ଛକ ଓ ସୁନହଟରେ ଥିବା ଏସ୍‌ବିଆଇର ଦୁଇଟି ଏଟିଏମ୍‌ ମେସିନ୍‌କୁ ଗ୍ୟାସ କଟରରେ କାଟିବା ସହ ସିସି କ୍ୟାମେରାକୁ ଭାଙ୍ଗି ଲୁଟେରାମାନେ ଏତେ ଟଙ୍କା ଲୁଟି ନେବା ଘଟଣା ସମଗ୍ର ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ସକାଳେ ଏହି ଖବର ପାଇବା ପରେ ଉଭୟ ସ୍ଥାନରେ ପୁଲିସ୍‌ ଓ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆଇଟିଆଇ ଛକସ୍ଥିତ ଏଟିଏମ୍‌ ଲୁଟ୍‌ ନେଇ ଷ୍ଟେଟ୍‌ ବ୍ୟାଙ୍କ ଶିଳ୍ପାଞ୍ଚଳ ଶାଖା ମୁଖ୍ୟ ପ୍ରବନ୍ଧକ କିଶୋର ଚନ୍ଦ୍ର ବିଶ୍ୱାଳ ୧୦ ଲକ୍ଷ ୪୯ ହଜାର ୨୦୦ଟଙ୍କା ଲୁଟ ହୋଇଛି ବୋଲି ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ସୁନ୍‌ହଟରେ ଏସ୍‌ବିଆଇ ଏଟିଏମ୍‌ ଦାୟିତ୍ୱରେ ଥିବା ଏମ୍ଫାସିସ ନାମକ ସଂସ୍ଥାର ଜିଲ୍ଲା ଏକ୍‌ଜିକ୍ୟୁଟିଭ ସ୍ମୃତିରଂଜନ ରାଉତ ଏଟିଏମ୍‌ରୁ ପ୍ରାୟ ୨୪ ଲକ୍ଷ ୯୬ ହଜାର ଟଙ୍କା ଲୁଟ୍‌ ହୋଇଛି ବୋଲି ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ୍‌ ଉଭୟ ଅଭିଯୋଗକୁ ଭିତ୍ତି କରି ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ଲାଗି ବାଲେଶ୍ୱର ସହର ଓ ଏହା ଉପକଣ୍ଠର ବିଭିନ୍ନ ସ୍ଥାନରେ ଛାନ୍‌ଭିନ ଆରମ୍ଭ କରିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ କିଛିଦିନ ହେଲା ବାଲେଶ୍ୱର ଜିଲ୍ଲାରେ ଏଟିଏମ୍‌ ଲୁଟ ଘଟଣା ବଢ଼ି ବଢ଼ିଚାଲିଛି। ଏହି ଘଟଣା ସବୁଠୁ ଅଧିକ ଏସ୍‌ବିଆଇ ଏଟିଏମ୍‌ରେ ଘଟୁଥିବା ଦେଖା ଯାଇଛି। ଗତ ମାସ ୫ ତାରିଖରେ ୧୬ନମ୍ବର ଜାତୀୟ ରାଜପଥର ବାହାନଗା ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ତାଡ଼ି ଟଙ୍କା ଲୁଟିବାକୁ ଲୁଟେରା ଗ୍ୟାଙ୍ଗ୍‌ ଲୁଟ ଉଦ୍ୟମ କରିଥିଲେ। ଏପରିକି ସେମାନେ ପୂରା ଏଟିଏମ୍‌ ମେସିନ୍‌କୁ ଉଠାଇ ନେଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଥିରୁ ଟଙ୍କା ବାହାର କରିବାରେ ଅସଫଳ ହୋଇ ଜାତୀୟ ରାଜପଥ କଡ଼ରେ ଫିଙ୍ଗି ପଳାଇଥିଲେ। ତହିଁ ପରଦିନ ସେଥିରୁ ୨୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା। ତେବେ ଉକ୍ତ ଘଟଣାକୁ ଆଜି ଏକମାସ ପୂରିଥିବା ବେଳେ ଲୁଟେରା ଗ୍ୟାଙ୍ଗ୍‌ର କୌଣସି ଟେର୍‌ ଏଯାଏଁ ପୁଲିସକୁ ମିଳିପାରିଲା ନାହିଁ। ଏବେ ପୁଣି ବାଲେଶ୍ୱର ସହର ଛାତିରେ ଥିବା ୨ ଏଟିଏମ୍‌କୁ ଲୁଟେରାମାନେ କଳାକନା ବୁଲାଇବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର