ଭଦ୍ରକ/ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସିମୁଲିଆ ଥାନାରେ ମଙ୍ଗଳବାର ଜଣେ ମହିଳା ନିଜକୁ ଦୈତାରୀ ପଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି ଦାବି କରିଛନ୍ତି। ଅଭିଯୋଗକାରିଣୀ ମହିଳାଙ୍କ ନାମ ହେଉଛି ଲତା ପଣ୍ଡା। ମହିଳାଙ୍କ ଅଭିଯୋଗ ଅନୁସାରେ ଦୈତାରୀ ପଣ୍ଡାଙ୍କୁ ସେ ୨୯ ବର୍ଷ ତଳେ ପୁରୀ ଶ୍ରୀମନ୍ଦିରରେ ବିବାହ କରିଥିଲେ। ଦୈତାରୀ ପଣ୍ଡାଙ୍କ ଔରସରୁ ସେ ୨ଟି ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତିନି ବର୍ଷ ବୟସରେ ଗୋଟିଏ ପୁତ୍ର ପାଣିରେ ବୁଡ଼ି ମରି ଯାଇଥିବା ବେଳେ ଅନ୍ୟ ଯୁବକ ପୁଅକୁ ଦେଖି ଜୀବନ ବିତାଉଛନ୍ତି ଲତା ପଣ୍ଡା।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗରେ ସେ କହିଛନ୍ତି, ଯାତ୍ରାରେ ଅଭିନୟ କରୁଥିବା ବେଳେ ତାଙ୍କର ଦୈତାରୀ ପଣ୍ଡାଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହା ପରେ ସେମାନେ ବିବାହ କରିଥିଲେ। ମାତ୍ର ଲତାଙ୍କୁ ଜଣା ନ ଥିଲା ଯେ, ଦୈତାରୀ ପଣ୍ଡା ପୂର୍ବରୁ ବିବାହ କରି ସାରିଛନ୍ତି। ଏ ସଂପର୍କରେ ସେ ଯେତେବେଳେ ଜାଣିଲେ ପ୍ରତିବାଦ କରିଥିଲେ। ମାତ୍ର ଦୈତାରୀ ପଣ୍ଡା କାହାରିକୁ ନ କହିବାକୁ କହିଥିଲେ। ମୁଁ ତୁମର ସ୍ୱାମୀ ଭାବରେ ରହିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ମହିଳା ଜଣକ ଦାବି କରିଛନ୍ତି।
ଲତା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ପୁଅର ନାମଲେଖା ଠାରୁ ଆରମ୍ଭ କରି ଅନ୍ୟ କାମରେ ଦୈତାରୀ ପଣ୍ଡାଙ୍କୁ ସ୍ୱାମୀ ଭାବରେ ପରିଚୟ ଦେଇଛନ୍ତି। ଲତା ମାର୍କଣା ଠାରେ ଜମି କିଣିଛନ୍ତି। ଜମି ଜମା କାଗଜପତ୍ରରେ ଦୈତାରୀ ପଣ୍ଡାଙ୍କୁ ନିଜର ସ୍ୱାମୀ ବୋଲି ଉଲ୍ଲେଖ କରିଛନ୍ତି।
ନିକଟରେ ଦୈତାରୀ ପଣ୍ଡା ଏକ ଓଡ଼ିଆ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ ଯେ, ମୋର ଦ୍ୱିତୀୟ ପତ୍ନୀ କେହି ନାହାନ୍ତି। ଏହା ପରେ ଲତା ଭାଙ୍ଗି ପଡ଼ିଛନ୍ତି। ଲତା କହିଛନ୍ତି, ‘ତାରିଣୀ ଗଣନାଟ୍ୟ’ରେ ଅଭିନୟ କରୁଥିବା ବେଳେ ଦୈତାରୀ ପଣ୍ଡାଙ୍କ ସହିତ ତାଙ୍କର ସଂପର୍କ ଗଢ଼ି ଉଠିଥିଲା। ଏସଂପର୍କରେ ମୁଁ ତାରିଣୀ ଗଣନାଟ୍ୟର ମାଲିକଙ୍କୁ କହିଥିଲି। ଘଟଣାର ତଦନ୍ତ କରି ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।