ପୁରୀ ମଇଦାନ୍‌ରେ ସମ୍ବିତ ଓ ପିନାକୀ ମୁହାଁମୁହିଁ

ପୁରୀ: ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଟକ୍କର ଦେବା ପାଇଁ ପାର୍ଲାମେଣ୍ଟରୁ ପିନାକୀ ମିଶ୍ରଙ୍କୁ ଆଣି ପୁରୀ ଲୋକସଭା ପାଇଁ ଟିକେଟ୍‌ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ଏପ୍ରିଲ ୨୩ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚରେ ପୁରୀରେ ମହାଲଢ଼େଇ ଦେଖିବାକୁ ମିଳିବ। ପୂର୍ବରୁ ପୁରୀ ଲୋକସଭା ଆସନକୁ ଦଖଲ କରିବାକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କୁ ବାଛିଥିବାବେଳେ ନବୀନ ମଧ୍ୟ ପିନାକୀଙ୍କୁ ପୁଣି ଡାକରା ଦେଇ ପୁରୀ ମଙ୍ଗ ଧରାଇଛନ୍ତି ।

ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ଏହି ପୁରୀ ଲୋକସଭା କ୍ଷେତ୍ରରେ ଏବେ ହାଇଭୋଲଟେଜ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ୨୨ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ବଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବଳ କଷୁଛି । ଏପରିକି ସମ୍ବିତଙ୍କ ନାମ ଘୋଷଣା ପରେ ସମ୍ବିତ ମଧ୍ୟ ପୁରୀରେ ସଂସଦୀୟ କ୍ଷେତ୍ରରେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସମ୍ବିତ ବିଜେଡି ଗଡ଼କୁ ଦଖଲ କରିବା ପାଇଁ ମୋଦିଙ୍କ ଭିଜନ ନେଇ ପୁରୀ କ୍ଷେତ୍ର ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ବୁଲି ବୁଲି ପ୍ରାଣମୂର୍ଚ୍ଛା ପ୍ରଚାର ଉଦ୍ୟମରେ ଲାଗିପଡ଼ିଛନ୍ତି ।

ସେପଟେ ବିଜେଡି ମଧ୍ୟ ପୁରୀ କାର୍ଡ଼ ଖୋଲିଛି । ପାର୍ଲାମେଣ୍ଟରୁ ପିନାକୀଙ୍କୁ ଡକାଇ ବିଜୟ ଧାରା ବଜାୟ ରଖିବାକୁ ଗୋଟିଚାଳନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଉପକୂଳ ଓଡିଶାର ସମ୍ମାନଜନକ ଲୋକସଭା ଆସନ ମଧ୍ୟରେ ପୁରୀ ଅନ୍ୟତମ । ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି ଓ ନୟାଗଡ ଜିଲ୍ଲାର ରଣପୁର, ନୟାଗଡା, ଖୋର୍ଦ୍ଧା ଜିଲ୍ଲାର ଚିଲିକା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ପୁରୀ ଲୋକସଭା ଆସନରେ ଉଭୟ କଂଗ୍ରେସ ଓ ବିଜେଡି ନିଜର ଦବଦବା ଜାହିର କରି ଆସିଛନ୍ତି । ପୂର୍ବରୁ କଂଗ୍ରେସ ଏଠାରେ ୬ ଥର ବିଜୟ ହୋଇ ନିଜର ଦବଦବା ଜାହିର କରି ଆସିଛି । ଶେଷ ଥର ପାଇଁ କଂଗ୍ରେସ ୧୯୯୬ରେ ଏହି ଆସନ ଦଖଲ କରିଥିଲା । ସେତେବେଳେ କଂଗ୍ରେସକୁ ବିଜୟ ଦେଇଥିବା ପିନାକୀ ମିଶ୍ର ଏବେ ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇ କଂଗ୍ରେସକୁ ପରାଜୟର ବାଟ ଦେଖାଇଛନ୍ତି ।।

ସବୁଠାରୁ ରୋଚକ ବିଷୟ ହେଲା ଯେ, ବିଜେଡି ଜନ୍ମ ହେବା ପରଠାରୁ ପୁରୀ ମୈଦାନରେ ପରାକ୍ରମ ଦେଖାଇ ଆସିଛି । ୧୯୯୮, ୧୯୯୯ ଓ ୨୦୦୪ରେ ଏହି ଆସନରେ ବିଜେଡି ଟିକେଟରେ ବ୍ରଜ କିଶୋର ତ୍ରିପାଠୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ତେବେ ଶଙ୍ଖ ଦଳରୁ ବ୍ରଜ ବିଦା ହେବା ପରେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପିନାକୀ ମିଶ୍ର ଦଳବଦଳ କରି ବିଜେଡିରେ ମିଶିଥିଲେ । ୨୦୦୯ରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହେବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ ଦେଇ ବିଜେଡି ଗଡକୁ ବଞ୍ଚାଇଥିଲେ । ଏହାପରେ ୨୦୧୪ରେ ମଧ୍ୟ ପୁରୀରେ ବିଜେଡିର ବିଜୟ ରଥକୁ ଆଗକୁ ନେଇଥିଲେ । ଆଉ ୨୦୧୯ରେ ଏହି ଧାରାକୁ ବଜାୟ ରଖିବା ସହ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ପିନାକୀ ।

ଅନ୍ୟପଟେ ବିଜେଡି ଓ ବିଜେପି କାର୍ଡ଼ ଖୋଲିଥିବାବେଳେ କଂଗ୍ରେସ ଉଭୟଙ୍କୁ ଟକ୍କର ଦେବାକୁ ଉପଯୁକ୍ତ ସେନାପତିଙ୍କୁ ଖୋଜୁଛି । କାରଣ ପୂର୍ବରୁ କଂଗ୍ରେସ ଏହି ଆସନରେ ନିଜର ଦବଦବା ଜାହିର କରି ଆସୁଥିବା ବେଳେ ପିନାକୀ ଦଳର ହାତ ଛାଡିବା ପରେ ସତେ ଯେମିତି ବନବାସକୁ ଚାଲିଯାଇଛି କଂଗ୍ରେସ । ତେବେ ପ୍ରତିଥର ବିଜେଡିକୁ କଡା ଟକ୍କର ଦେଇ ଆସୁଛି କଂଗ୍ରେସ । ପ୍ରତିଥର ପ୍ରାର୍ଥୀ ବଦଳାଉଥିଲେ ମଧ୍ୟ ଦଳକୁ ଏଯାଏଁ ସଫଳତା ମିଳିନି। କିନ୍ତୁ ଏଥର କଂଗ୍ରେସ ପୁଣିଥରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି ।

କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି, କଂଗ୍ରେସ କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଆଇନଜୀବୀ ଜୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି । ତେବେ କାହାକୁ ଟିକେଟ ଦିଆଯିବ ସେନେଇ ଦଳ ନିଜର କାର୍ଡ ଖୋଲିନାହିଁ । ପୁରୀର ଏହି ଗୋଳମାଳିଆ ରାଜନୀତି ଭିତରେ ଆଗାମୀ ନିର୍ବାଚନରେ କେଉଁ ଦଳର ପଲା ଭାରି ରହିବ ତାହା ଉପରେ ସମସ୍ତଙ୍କର ନଜର ।

ସମ୍ବନ୍ଧିତ ଖବର