ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଜଗତସିଂହପୁର ଜିଲ୍ଲାପାଳ

ଏପର୍ଯ୍ୟନ୍ତ ୧୩୬ ଜଣ ରିପୋଟିଂ କରିଛନ୍ତି, ୭ ଜଣଙ୍କର ପତ୍ତା ନମିଳିବାକୁ ନେଇ ଚିନ୍ତା

ଜଗତସିଂହପୁର: ଦେଶରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୧୦ ଟପିଲାଣି, ଯାହାକୁ ନେଇ ସାରା ଦେଶ ଏବେ ଚିନ୍ତାରେ। ଜଗତସିଂହପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ରୋଗୀଙ୍କ ମଧ୍ୟରେ କରୋନା ରୋଗୀ ଜଣାପଡ଼ି ନାହିଁ। ତଥାପି ପ୍ରତି ମୁହୂର୍ତ୍ତରେ ଲୋକେ ଡରୁଛନ୍ତି।

ଆଜି ଠାରୁ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ସବୁ କିଛି ବନ୍ଦ ରହିଛି। ଗାଡ଼ି ମୋଟର ଚଳାଚଳ ବି ଠପ୍‌ ହୋଇ ଯାଇଛି। ତେବେ ବର୍ତ୍ତମାନ ସୁଧା ଜିଲ୍ଲାକୁ ଆସିଥିବା ୧୩୬ ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ୫୩ ଜଣଙ୍କର ୧୪ ଦିନ ସଙ୍ଗରୋଧ ସମ୍ପୂର୍ଣ୍ଣ କରିଛନ୍ତି। ୨ ଜଣ ୨୮ ଦିନ ପୂରଣ କରିଛନ୍ତି। ୧୧୫ ଜଣଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ହେଲେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ, ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହୋଇଛି।

ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଜିଲ୍ଳାରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ନିୟମକୁ ମାନିବାକୁ ଜିଲ୍ଲାପାଳ ଆଜି ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି। ଯଦି ଏହାକୁ କେହି ଅମାନ୍ୟ କରନ୍ତିି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମେ ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ କ୍ଷେତ୍ରରେ ୧୪୪ ଧାରା ଜାରି କରାଯାଇଥିଲା। ଏହାପରେ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରାଗଲା। କିନ୍ତୁ ବୁଧବାର ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ପରିବହନ ବ୍ୟବସ୍ଥା ଠାରୁ ଆରମ୍ଭ କରି ଟ୍ୟାକ୍ସି, ଆଟୋ, ରିକ୍ସା ଚଳାଚଳ ବନ୍ଦ ପାଇଁ ଘୋଷଣା କରାଯାଇଛି। ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିବା ଗାଡ଼ିଗୁଡ଼ିକ କନ୍ଦରପୁର ଓ ଭୂତମୁଣ୍ଡାଇ ନିକଟରେ ତନଖି ଫାଟକରେ ଅବରୋଧ କରାଯାଉଛି ।

କେବଳ ଆବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହାନ ଚଳାଚଳ କରି ପାରିବ। ଖଣିଜ ସମ୍ପଦ ପରିବହନ ଚାଲୁ ରହିବ ବନ୍ଦ ସମୟରେ ଔଷଧ ଦୋକାନ, ପନିପରିବା, ମାଛ, ମାଂସ, କ୍ଷୀର, ଅଣ୍ଡା, ଚିକେନ୍‌ ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ, ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ପ୍ରଶାସନିକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ବିଭାଗ, ଓର୍ଡାଫ ଟିମ୍‌ କାର୍ଯ୍ୟାଳୟ ଖୋଲା ରହିବ।

ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ୍‌ ସେବା ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଉତ୍ପାଦନ ୟୁନିଟ୍‌ଗୁଡ଼ିକ ଜିଲ୍ଲାପାଳଙ୍କ ଅନୁମତି ନେଇ ଚାଲି ପାରିବ । ଜିଲ୍ଲାରେ ଥିବା ସମସ୍ତ ପ୍ରକାର ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକ ସୀମିତ କର୍ମଚାରୀ ଓ ଧାର୍ଯ୍ୟ ସମୟ ଅନୁଯାୟୀ ଚାଲିବ। ପ୍ରବାସୀ ଲୋକମାନଙ୍କର ନାମ ପିକରଣ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦ୍ୱାରା କରାଯିବ ଓ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯିବ ସ୍ୱଗୃହରେ ସଙ୍ଗରୋଧ କୋଠରୀରେ ରହୁଥିବା ପ୍ରବାସୀ ଲୋକଙ୍କ ଘରେ ପ୍ରଶାସନ ପକ୍ଷରୁ ଷ୍ଟିକରିଂ କରାଯିବ। ପରିବାର ସମ୍ପର୍କୀୟ ସମସ୍ତ ତଥ୍ୟ ଲିପିବଦ୍ଧ ହେବ। ସେମାନଙ୍କ ଗତିବିଧି ଓ ବାହାରେ ବୁଲାବୁଲି ଉପରେ ତୀକ୍ଷଣ ନଜର ରଖାଯିବ।

ସମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ଏସ୍‌ପି ପ୍ରକାଶ ରଙ୍ଗରାଜ, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର