ସାଇବର ଅପରାଧ ଥାନାରେ ନଚାପି ମାମଲା ରୁଜୁ କର: ଡିଜି

ନଭେମ୍ବର ୨୨ରେ ସାଇବର ଫରେନ୍‌ସିକ ଲ୍ୟାବ୍‌ ଉଦ୍‌ଘାଟନ

କଟକ: ନୂଆନୂଆ ଢଙ୍ଗରେ ସାଇବର୍‌ ଅପରାଧ ସାମନାକୁ ଆସୁଛି। ଏହାର ମୁକାବିଲା ଏବଂ ତଦନ୍ତ ପାଇଁ ପୁଲିସ ଅଧିକାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଆବଶ୍ୟକ। କିନ୍ତୁ ଥାନାକୁ ଯାଉଥିବା ସାଇବର ଅପରାଧ ଅଭିଯୋଗକୁ ଚାପି ଦେଇ ଫେରାଇ ଦେବା ବଦଳରେ ମାମଲା ରୁଜୁ କରିବାକୁ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କଟକ ବକ୍ସିବଜାରସ୍ଥିତ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସାଇବର ସୁରକ୍ଷା ଏବଂ ସାଇବର୍‌ ଅପରାଧ’କୁ ଉଦ୍‌ଘାଟନ କରି ଡାକ୍ତର ଶର୍ମା କହିଥିଲେ ଯେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ତିନିଟି ସାଇବର ଥାନା ରାଜ୍ୟରେ ଖୋଲିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉର୍‌କେଲାରେ ଏହି ଥାନା ଖୋଲିବାକୁ ଥିବା ବେଳେ ବାଲେଶ୍ୱର, ଭୁବନେଶ୍ୱର କମିସନରେଟ୍‌ ପୁଲିସ, କୋରାପୁଟ୍‌ ଜିଲ୍ଲା ଜୟପୁରରେ ମଧ୍ୟ ସାଇବର ଥାନା ଖୋଲିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଇଣ୍ଟର୍‌ନେଟ୍‌ର ବ୍ୟବହାର ବୃଦ୍ଧି ଘଟୁଥିବା ବେଳେ ସାଇବର ଅପରାଧୀମାନେ ମଧ୍ୟ ଅପରାଧ ବଢ଼ାଇବାରେ ଲାଗିଛନ୍ତି। ଇନ୍‌ଫର୍ମେସନ୍‌ ଟେକ୍‌ନୋଲୋଜି ଆକ୍ଟ- ୨୦୦୦ ଆଧାରରେ ୨୦୧୬ରେ ୩୭୮ଟି ମାମଲା ରୁୁଜୁ ହୋଇଥିବା ବେଳେ ୨୦୧୭ ଅକ୍ଟୋବର ସୁଦ୍ଧା ୬୬୯ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଛି। ମାମଲା ସଂଖ୍ୟା ବୃଦ୍ଧି ହେଉଥିବାରୁ ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରରେ ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଅନ୍ୟପଟେ ଷ୍ଟେଟ୍‌ ଫରେନ୍‌ସିକ ଲ୍ୟାବରେ ସାଇବର ଫରେନ୍‌ସିକ ଲ୍ୟାବ ଖୋଲିବାକୁ ଯାଉଛି। ରାଜ୍ୟ ପୁଲିସ ଏବଂ ଖୋଲିବାକୁ ଯାଉଥିବା ନୂଆ ସାଇବର ଫରେନ୍‌ସିକ ଲ୍ୟାବ ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରତ୍ୟେକ ଦିନ ଅପରାଧୀମାନେ ନୂଆ ମାଲ୍‌ଓୟାର, ମାଲେସିଅସ୍‌ ସଫ୍ଟଓୟାର ବ୍ୟବହାର କରି ସିଷ୍ଟମକୁ ଅଚଳ କରୁଛନ୍ତି। ସାଇବର ଅପରାଧ ଜନିତ ମାମଲା ଅଧିକ ସଂଖ୍ୟାର ପଞ୍ଜିକରଣ ଏବଂ ସେହି ଅନୁପାତରେ ତଦନ୍ତ କରିବା ଦ୍ୱାରା ଅପରାଧ ଅନେକ ପରିମାଣରେ ହ୍ରାସ ପାଇପାରିବ ବୋଲି ଡାକ୍ତର ଶର୍ମା କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ରାଇମ୍‌ବ୍ରାଞ୍ଚ ଏଡିିଜି ସନ୍ତୋଷ ଉପାଧ୍ୟୟ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ସାଇବର ଫରେନ୍‌ସିକ ଲାବ୍ରୋଟୋରି ନଥିବାରୁ ହାଇଦ୍ରାବାଦ ଏବଂ କଲିକତାସ୍ଥିତ ସାଇବର ଫରେନ୍‌ସିକ ଲ୍ୟାବ୍‌ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏବେ ରାଜ୍ୟରେ ଏହା ଖୋଲିବା ଫଳରେ ସାଇବର ଥାନାକୁ ତଦନ୍ତ କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହୋଇପାରିବ। ସାଇବର ଅପରାଧ ଘଟଣାର ତଦନ୍ତ ପ୍ରକ୍ରିୟାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଷ୍ଟେଟ୍‌ ଫରେନ୍‌ସିକ ଲ୍ୟାବ୍‌ରେ ଖୋଲିବ ସାଇବର ଫରେନ୍‌ସିକ ଲ୍ୟାବ୍‌। ଆସନ୍ତା ୨୨ ତାରିଖରେ ଏହି ନୂଆ ଲ୍ୟାବ ଖୋଲିବାକୁ ଯାଉଛି। ଏହାଦ୍ୱାରା ରାଜ୍ୟ ବାହାରେ ଥିବା ସାଇବର ଫରେନ୍‌ସିକ ଲ୍ୟାବ୍‌ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ। ଅନ୍ୟପଟେ ୨୦୧୮ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଷ୍ଟେଟ୍‌ ଫରେନ୍‌ସିକ ଲ୍ୟାବ୍‌ର ନୂଆ କୋଠା ଉଦ୍‌ଘାଟନ ହେବାକୁ ଯାଉଛି। ତା’ ସହିତ ଡିଏନ୍‌ଏ ଲ୍ୟାବ୍‌, ବାୟୋଲୋଜି ଲ୍ୟାବ୍‌ ଏବଂ ଟକ୍ସିକୋଲଜି ଲ୍ୟାବ୍‌ର ମଧ୍ୟ ଆଧୁନିକୀକରଣ କରାଯିବ ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି। କାର୍ଯ୍ୟକ୍ରମରେ କ୍ରାଇମ୍‌ବ୍ରାଞ୍ଚ ଡିଆଇଜି ନିଖିଲ କାନୋଡିଆ, କଲିକତାସ୍ଥିତ କେନ୍ଦ୍ରୀୟ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରିର ଅଧିକାରୀ, ଭୁବନେଶ୍ୱର ଆଇଆଇଆଇଟିର ଅଧିକାରୀ, ଓକାକ ପ୍ରମୁଖ ସଂସ୍ଥାର ଅଧିକାରୀ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆସନ୍ତାକାଲି ଏହା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର