ହାତୀ ମୃତ୍ୟୁ ଘଟଣା : ଜମି ମାଲିକ ଗିରଫ

କଟକ : ଆଠଗଡ଼ ଫରେଷ୍ଟ ଡିଭିଜନ୍‌ ଅନ୍ତର୍ଗତ ରାଜନଗର ପଞ୍ଚାୟତର ଶବର ସାହି ତଇଲାରେ ମାଈ ହାତୀ ମୃତ୍ୟୁ ଘଟଣାରେ ଅଟକ ଜମି ମାଲିକ ପ୍ରସନ୍ନ ଦେହୁରୀଙ୍କୁ ଆଜି ଗିରଫ କରାଯାଇଛି। ବନ୍ୟଜନ୍ତୁ ଶିକାର ପାଇଁ ଚାଷ ଜମିରେ ରଖାଯାଇଥିବା ବିସ୍ଫୋରକ ମିଶ୍ରିତ ଖାଦ୍ୟ ସ˚ସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଶ୍ରୀ ଦେହୁରୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଠଗଡ଼ ଏସିଏଫ୍‌ ରାଜେନ୍ଦ୍ର ଦାସ ପ୍ରକାଶ କରିଛନ୍ତି।

ପ୍ରକାଶଥାଉ କି ଗତ ୧୨ ତାରିଖରେ ଆଠଗଡ ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂର ରାଜନଗର ଶବରସାହି ତଇଲାର ବାଇଗଣ କିଆରୀରୁ ୮ରୁ ୯ବର୍ଷ ବୟସ୍କ ଏକ ମାଈ ହାତୀର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବାଇଗଣ କିଆରି ମାଲିକ ରାଜନଗର ଗ୍ରାମର ପ୍ରସନ୍ନ ଦେହୁରିଙ୍କୁ ଅଟକ ରଖା ଯାଇଥିଲା। ଏହାର ପ୍ରତିବାଦରେ ଗୁରୁବାର ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟଙ୍କ ନେତୃତ୍ବରେ ଗ୍ରାମବାସୀ ଆଠଗଡ଼ ସଦର ଫରେଷ୍ଟ ରେଞ୍ଜ ଅଫିସ ଓ ପରେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର