ଜାଲ୍‌ ସାର୍ଟିଫିକେଟ୍‌ରେ ନାମଲେଖା : ଦୁଇ ଯୁବକ ଗିରଫ; ଦୁଇ ଯୁବତୀ ବି ସଂପୃକ୍ତ

କଟକ : ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରି ନାମ ଲେଖାଉଥିବା ଦୁଇ ଯୁବକ ଧରାପଡ଼ିଛନ୍ତି। କିନ୍ତୁ ଏହିଭଳି ଘଟଣାରେ ସଂପୃକ୍ତ ଦୁଇ ଜଣ ଯୁବତୀ କୌଶଳକ୍ରମେ ଖସିଯାଇଛନ୍ତି। ଏ ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ମାଲ୍‌ଗୋଦାମ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି କନ୍ଦରପୁର ଥାନା ବିରିବାଟୀର ଦେବାଶିଷ ବେହେରା ଏବଂ ଭଦ୍ରକ ବରପଦାର ରୁଦ୍ର ଆଶିଷ ବେହେରା। ସେମାନଙ୍କ ନିକଟରୁ ଦୁଇଟି ଅରିଜିନାଲ୍‌ ଫର୍ମ, ଦୁଇଟି ଜାଲ୍‌ ସାର୍ଟିଫିକେଟ୍‌ ପୁଲିସ ଜବତ କରିିଛି।

ସୂଚନା ଅନୁଯାୟୀ, ମହାବିଦ୍ୟାଳୟରେ ୩ ବର୍ଷୀୟା ଏଲ୍‌ଏଲ୍‌ବି ପାଠ୍ୟକ୍ରମର ୨୪୦ ସିଟ୍‌ରେ ନାମଲେଖା ପାଇଁ ଗତ ମେ’ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁଲାଇ ମାସରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହୋଇଥିଲା। ଅଗଷ୍ଟ ୧୨ ତାରିଖରେ ପାଠ ପଢ଼ା ଆରମ୍ଭ ହୋଇଥିବା ବେଳେ ଆହୁରି ୨୨ଟି ଏସ୍‌ଟି ସିଟ୍‌ ଖାଲି ପଡ଼ିଥିଲା। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ କମିଟି ପକ୍ଷରୁ ତିନି ଥର ବିଜ୍ଞାପନ ପ୍ରକାଶ ପାଇବା ପରେ ୧୪ ଜଣ ଆବେଦନ କରିଥିଲେ। ୧୧ଟି ସିଟ୍‌ ଆଜି ପୂରଣ ହୋଇଥିଲା। କିନ୍ତୁ ଦୁଇ ଜଣ ଆବେଦନକାରୀଙ୍କ ଜାତି ପ୍ରମାଣପତ୍ର ଜାଲ୍‌ ବୋଲି ଜଣାପଡ଼ିଥିଲା। ସେମାନେ ଏସ୍‌ଟି ବର୍ଗର ହୋଇନଥିଲେ ସୁଦ୍ଧା ଜାଲ୍‌ ପ୍ରମାଣପତ୍ର ଦାଖଲ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ନନ୍ଦଙ୍କ କହିବା ଅନୁଯାୟୀ, ଏସ୍‌ସି ବର୍ଗର ଦେବାଶିଷ, ସାଧାରଣ ବର୍ଗର ରୁଦ୍ର ଆଶିଷ, ସାଧାରଣ ବର୍ଗର ଅନେ୍ଵଷା ପ୍ରିୟଦର୍ଶିନୀ ଏବଂ ଏସ୍‌ସି ବର୍ଗର ଅଞ୍ଜଳୀ ବେହେରା ଏସ୍‌ଟି ପ୍ରମାଣପତ୍ର ଦେଇଥିଲେ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଦେବାଶିଷ ଓ ରୁଦ୍ର ନାମ ଲେଖାଉଥିବା ସମୟରେ ଜାତିଗତ ପ୍ରମାଣପତ୍ର ଜାଲ୍‌ ବୋଲି ଜଣାପଡ଼ିଥିଲା। କିନ୍ତୁ ଦୁଇ ଯୁବତୀ ଫର୍ମ ପୂରଣ କରିଥିଲେ ବି ଆଜି ନାମ ଲେଖାଇବାକୁ ଆସିନଥିଲେ। ଏଭଳି ଜାଲିଆତି ଧରାପଡ଼ିବା ପରେ ଦୁଇ ଯୁବକଙ୍କ ବିରୋଧରେ ମାଲ୍‌ଗୋଦାମ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଡକ୍ଟର ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର