ପାଇପ ନଷ୍ଟ ଯୋଗୁଁ ସଇଡ଼ା ଗାଁକୁ ଜଳ ଯୋଗାଣ ବନ୍ଦ:୪ ଦିନ ହେଲା ଗ୍ରାମବାସୀ ଛଟପଟ

ଦେବଗଡ଼: ବର୍ତ୍ତମାନ ଦେବଗଡ଼ ଜିଲ୍ଲାର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ଗାଁରେ ଜଳ ସଂକଟ ଦେଖାଦେଇଛି। ପାଣିର ଚାହିଦା ବୃଦ୍ଧି ପାଉଥିବା ବେଳେ ଗତ ୪ ଦିନ ହେଲା ବାରକୋଟ ବ୍ଳକ୍‌ ସଇଡ଼ା ପଞ୍ଚାୟତ ସଦର ଗାଁକୁ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି। ଜଳ ଯୋଗାଣ ପାଇଁ ଗାଁରେ ପାଣି ଟାଙ୍କି ଥିଲେ ହେଁ ବିଛା ଯାଇଥିବା ପାଇପ୍‌ ନଷ୍ଟ ହୋଇ ଯାଇଥିବାରୁ ୪ ଦିନ ହେଲା ଗାଁକୁ ଜଳ ଯୋଗାଣ ବନ୍ଦ ରହିଥିବା ଜଣାପଡ଼ିଛି। ବିଛାଯିବା ପରେ ପାଇପ୍‌ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଥିବା ବେଳେ ପ୍ରକଳ୍ପରେ ଲାଗିଥିବା ପମ୍ପ୍‌ ମଧ୍ୟ ଠକ୍‌ ଭାବେ କାମ କରୁ ନଥିବାରୁ ୪/୫ ଦିନ ହେଲା ଗାଁକୁ ଜଳ ଯୋଗାଣ ଏକ ପ୍ରକାର ଠପ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ଆରଡବ୍ଲୁଏସଏସ୍‌ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ବର୍ତ୍ତମାନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅଭିଯୋଗ ଅନୁସାରେ ସଇଡ଼ା ଗାଁରେ ୩ ହଜାର ଲୋକ ବସବାସ କରୁଥିବା ବେଳେ ଗତ ୨୦୧୦ ମସିହାରେ ପାଣି ଟାଙ୍କି ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ମାତ୍ର କିଛି ଦିନ ହେଲା ପ୍ରକଳ୍ପରେ ଲାଗିଥିବା ପମ୍ପ୍‌ ଠକ୍‌ ଭାବେ କାମ କରୁ ନଥିବା ଓ ରକ୍ଷଣାବେକ୍ଷଣ ଅଭାବରୁ ପାଇପ୍‌ଗୁଡ଼ିକ ଫାଟି ଯାଇଥିବାରୁ ୪ ଦିନ ହେଲା ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ନିକଟସ୍ଥ କଲା ଗ୍ରାମକୁ ଯାଇ ପାଣି ସଂଗ୍ରହ କରୁଥିଲେ ହେଁ ତାହା ସେମାନଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ପାଣିର ଚାହିଦା ବଢୁଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ଗ୍ରାମବାସୀ ଜିଲ୍ଲାପାଳ ଓ ଆରଡବ୍ଲୁଏସ୍‌ଏସ୍‌ ବିଭାଗ ସହ ପଞ୍ଚାୟତ ଅଫିସ୍‌ରେ ଜଣାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ବିଡିଓ ଅଶୋକ ଗଡ଼ତିଆଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର