ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ରତନପାଲି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ସମ୍ପର୍କୀୟ ପୁତୁରା ଓ ପୁତୁରା ବୋହୂ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ରବିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ସେମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏତଲାନୁସାରେ ରତନପାଲି ଗାଁର କୁନା କିଷାନର ପତ୍ନୀ କାନ୍ଦ୍ରି କିଷାନ ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲେ। ଚିକିତ୍ସା ସତ୍ୱେ ସେ ସୁସ୍ଥ ହେଉ ନଥିବାରୁ ଏହା ପଛରେ ତାଙ୍କ ଖୁଡ଼ିଙ୍କର ଗୁଣିଗାରେଡ଼ି ରହିଥିବା କୁନା ସନ୍ଦେହ କରୁଥିଲା ।

ଏପରିକି ତାକୁ ଗାଁର ସୁଦର୍ଶନ କିଷାନ ନାମକ ବ୍ୟକ୍ତି ଏହି କଥା କହିବାରୁ କୁନା ମନରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଫଳରେ ଏହାକୁ କେନ୍ଦ୍ରକରି ରବିବାର କୁନା ଓ କାନ୍ଦ୍ରି ସମ୍ପୃକ୍ତା ମହିଳା (ଖୁଡ଼ି)ଙ୍କ ଘରେ ପହଞ୍ଚି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥି ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଫଳରେ ମହିଳା ଜଣକ ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବାରକୋଟ ଥାନାରେ ପହଞ୍ଚି ଏତଲା ଦେବା ପରେ ପୁଲିସ୍‌ କୁନା, କାନ୍ଦ୍ରି ଓ ସୁଦର୍ଶନ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର