ଦାଦାବଟି ପାଇଁ ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ଗଁଦିଆ/ଢେଙ୍କାନାଳ : ଦାଦାବଟି ପାଇଁ ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଦଶମାଣପାଟଣା ଗାଁରେ ଆଜି ଅପରାହ୍‌ଣରେ ଘଟିଛି ଏହି ହତ୍ୟାକାଣ୍ଡ। ଗ୍ରାମର ଦୁର୍ଯ୍ୟୋଧନ ନାୟକଙ୍କ ପୁଅ ତପନ ନାୟକ (୩୫) ଧାନ ବ୍ୟବସାୟୀ ଶରତ ବେହେରା (୩୫)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅଭିଯୁକ୍ତ ତପନ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିବା ବେଳେ ତାଙ୍କୁ ଗିରଫ କରିବାକୁ ଦାବି କରି ଗ୍ରାମବାସୀ ଶବକୁ ଅଟକ ରଖିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ଗାଁରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି।

ମୃତ ଧାନ ବ୍ୟବସାୟୀ ଶରତଙ୍କ ନିଜ ଘର ନିହଲପ୍ରସାଦ ଥାନା କାଲୁଣିଗୋଡ଼ା ଗାଁରେ। ସେ ଦଶମାଣପାଟଣା ଗାଁର ନିଜ ସଢ଼ୁ କୈଳାସ ଚନ୍ଦ୍ର ସାହୁଙ୍କ ସହିତ ମିଶି ଧାନ ବ୍ୟବସାୟ କରୁଥିଲେ। ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ଦଶମାଣପାଟଣାରେ ଶରତ ହିସାବକିତାବ କରୁଥିବା ବେଳେ ତପନ ତାଙ୍କୁ ଦାଦାବଟି ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ତପନ ଏକ ବନ୍ଧୁକରେ ଶରତଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ବାମ କାନ ତଳେ ବାଜିବାରୁ ଶରତ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଏହି ଘଟଣାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନିହଲପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଶବକୁ ଛାଡ଼ିନାହାନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ମୁତୟନ କରାଯାଇଛି ବୋଲି ଢେଙ୍କାନାଳ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ବନ୍ଧୁକ କିମ୍ବା ପିସ୍ତଲ କେଉଁଥିରୁ ଗୁଳିମାଡ଼ ହୋଇଛି ତାହା ଅଦ୍ୟାବଧି ଜଣାପଡିନାହିଁ ବୋଲି ଏସ୍‌ପି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର