ଉମରକୋଟ ବଜରରେ ନକଲି କ୍ଷୀର! ଲେମ୍ବୁ ଚିପୁଡିଲେ ବି ଛିଡୁନାହିଁ

ନବରଙ୍ଗପୁର: ଉମରକୋଟ ସହରରେ ନକଲି କ୍ଷୀର ମିଳୁଥିବା ନେଇ ଏକ ଗୁରୁତର ଅଭିଯୋଗ ହୋଇଛି। ଗୁଲିପାଟନା ଅଞ୍ଚଳର ଗ୍ରାହକ ସୀତାରାମ ପାଣ୍ଡେ କରିଥିବା ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖ ସଂଧ୍ୟାରେ ସେ ସହରର ଏକ ଦୋକାନରୁ ୨ ଲିଟର କ୍ଷୀର କିଣିଥିଲେ। ଘରକୁ ନେଇ କ୍ଷୀର ଫୁଟାଇଥିଲେ। ପ୍ରାୟ ଏକ ଘଣ୍ଟା କ୍ଷୀରକୁ ଫୁଟାଇବା ପରେ ବି ଏହା ଛିଡି ନଥିଲା।

ସେ କ୍ଷୀରକୁ ଛିଡାଇବା ପାଇଁ ମନସ୍ଥ କରିଥିଲେ। ଗୋଟିଏ ପରେ ଗୋଟିଏ ଲେମ୍ବୁ କାଟି କ୍ଷୀରରେ ଚିପୁଡିଥିଲେ। ଏପରି ଭାବେ ୪ ଗୋଟି ଲେମ୍ବୁ ଚିପୁଡିଥିଲେ ମଧ୍ୟ କ୍ଷୀର ଛିଡିନଥିଲା। ନକଲି ସନ୍ଦେହ ହେବାରୁ ସେ ନିରାଶ ହୋଇ ଡେକଚି ନେଇ କ୍ଷୀରର ମାନ ପରକ୍ଷିବା ପାଇଁ ଦୋକାନି ପାଖକୁ ଯାଇଥିଲେ। ଦୋକାନି ପାଖକୁ କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ବି ଦେଖାଇଲେ। ଦୋକାନି ତାଙ୍କ କ୍ଷୀର ଏପରି ହେବ ନାହିଁ ବୋଲି କହିବାରୁ ସେ ଲେମ୍ବୁ ଆଣି ଚିପୁଡିଥିଲେ। ସେଠାରେ ବି କ୍ଷୀର ଛିଡିନଥିଲା।

ଶେଷରେ ସେ ନିରାଶ ହୋଇ ଗୁରୁବାର ସକାଳୁ ଉମରକୋଟ ଥାନା ଅଧିକାରୀଙ୍କୁ ଏକଥା ଜଣାଇଥିଲେ। ଥାନା ଅଧିକାରୀ ଏହି କ୍ଷୀର ରଖିଥାଅ। କ୍ଷୀରର ମାନ ଖାଦ୍ୟ ନିରୀକ୍ଷକ ଆସି ଯାଞ୍ଚ କରିବେ ବୋଲି କହିଥିଲେ। ଗ୍ରାହକ ସୀତାରମ ସନ୍ଦେହ କରିଛନ୍ତି ଯେ ଏହି କ୍ଷୀର ନକଲି ଏବଂ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।

ପିଲା ହେଉ କି ବୃଦ୍ଧ ହେଉ ସମସ୍ତେ ଏ ପ୍ରକାର କ୍ଷୀର ପିଉଛନ୍ତି। ଏ ପ୍ରକାର ନକଲି କ୍ଷୀର ପିଇ ବିଭିନ୍ନ ରୋଗ ଆକ୍ରାନ୍ତ ହେବାର ଅଧିକ ଆଶଂକା ରହୁଛି। ତେଣୁ ସେ ପ୍ରଶାସନକୁ ଅନୁରୋଧ କରୁଛନ୍ତି ଯେ ବଜାରରେ ଏପରି କ୍ଷୀର ବିକିବା ପାଇଁ ଅନୁମତି ନ ଦିଅନ୍ତୁ।

ଆଜି ଖାଦ୍ୟ ନିରୀକ୍ଷକ ଉମରକୋଟ ଯାଇ ଉକ୍ତ କ୍ଷୀରର ନମୁନା ସଂଗ୍ରହ କରିଛନ୍ତି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଉମେଶ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ତାଙ୍କ ପାଖକୁ ଗ୍ରାହକ ସୀତାରାମ ପାଣ୍ଡେ ଆସି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ଖାଦ୍ୟ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ସେହି ଶ୍ରୀ ପାଣ୍ଡେଙ୍କ କ୍ଷୀର ଏବଂ ଅନ୍ୟ ୨ ଜଣ ଗ୍ରାହକଙ୍କ କ୍ଷୀର ନମୂନା ସଂଗ୍ରହ କରାଯାଇଛି। ସେହି ନମୂନାକୁ ଫରେନସିକ ଲ୍ୟାବକୁ ପଠାଯିବ।

ଫରେନସିକ ଲ୍ୟାବରୁ କ୍ଷୀରର ମାନ ପରୀକ୍ଷା ହୋଇ ଆସିବା ପରେ ଜଣାପଡିବ ଯେ ଏହା ନକଲି ନା ଅସଲି। ଦୋକାନରେ ବିକ୍ରି କରୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ ସେ ପ୍ରତିଦିନ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରୁଛନ୍ତି। ଆଖ ପାଖ ୫ ଗୋଟି ଗାଁରୁ ଚାଷୀମାନେ ତାଙ୍କୁ ଗାଡିରେ ଆଣି କ୍ଷୀର ଦେଉଛନ୍ତି। ସେ ଖାଲି ବିକିବା ଲୋକେ। କ୍ଷୀର ଆଦୌ ନକଲି ନାହିଁ। ସଜ କ୍ଷୀର ତାଙ୍କ ପାଖକୁ ଆସୁଛି। ସେ ସବୁ ବେଳେ ସଜ କ୍ଷୀର ହି ବିକ୍ରି କରୁଛନ୍ତି। କେବେ ହେଲେ ଏପରି ହୋଇନାହିଁ ବୋଲି କହିଛନ୍ତି। ସହରବାସୀ ଦାବି କରିଛନ୍ତି ଯେ, ଯଦି ଏହି କ୍ଷୀର ନକଲି ହୋଇଥିବ ତେବେ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ କ୍ଷୀରକୁ ପୃଷ୍ଟିକର ଖାଦ୍ୟ ଭାବେ ଲୋକେ ଗ୍ରହଣ କରୁଛନ୍ତି। ତେବେ ଏହି କ୍ଷୀର ସଂକ୍ରାନ୍ତରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର