ଭବାନୀପାଟଣା ବସଷ୍ଟାଣ୍ଡରୁ ୨୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା ପୁଲିସ ସ୍ଥାନୀୟ ବସଷ୍ଟାଣ୍ଡରୁ ଆଜି ୨୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ନବରଙ୍ଗପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସସପିନ ଗରଡ଼ା (୧୯) ଓ ମୋତିଲାଲ ବାଗ (୨୨)।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ଡଙ୍ଗରଭେଜା ଥାନା ଅନ୍ତର୍ଗତ ସାଗରମୁଣ୍ଡା ଗ୍ରାମର ସସପିନ ଗରଡା(୧୯) ଓ ସେହି ଗ୍ରାମର ମୋତିଲାଲ ବାଗ(୨୨) ଆଜି ସ୍କୁଲ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଜୟପୁର ଠାରୁ ବସରେ ଆସି ଭବାନୀପାଟଣା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ। ସେମାନେ ଗଞ୍ଜେଇ ନେଇ ଝାରସୁଗୁଡା ନେବା ପାଇଁ ବସ ଅପେକ୍ଷାରେ ଥିବା ବେଳେ ପୁଲିସ ଦ୍ଵାରା ଧରିପଡ଼ିଥିଲେ।

ଗଞ୍ଜେଇ ଚାଲାଣ ନେଇ ଆଜି ସଂନ୍ଧ୍ୟାରେ ଭବାନୀପାଟଣା ଟାଉନ ପୁଲିସ ସୂଚନା ପାଇଥିଲା। ଏହା ପରେ ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ଓ ସବଇନ୍‌ସପେକ୍ଟର ଶିବ ପ୍ରସାଦ ଭଦ୍ରଙ୍କ ନେତୃତ୍ୱରେ ପୁଲିସ ଟିମ ଚଢ଼ାଉ କରିଥିଲେ। ଏନଡିପିଏସ ଆକ୍ଟରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ୨ ଆସାମୀଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର